ଚଳଚ୍ଚିତ୍ର ‘ଟି’ ର ଟିଜର ଲୋକାର୍ପଣ

0
104
ଚଳଚ୍ଚିତ୍ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୧୨/୦୫) : ଟ୍ରାନ୍ସଜେଣ୍ଡର ଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଥିବା ବେଳେ ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତ ଓବରାଇ ବେକର୍ସ ଆଣ୍ଡ କାଫେ ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର ର ଟିଜର ଲୋକାର୍ପଣ ହୋଇଯାଇଛି l

ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଟି ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି l ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ l ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର ‘ଟି’ l ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି l

ବଲିଉଡ ତଥା ଓଲିଉଡ଼ ରେ ଆଗରୁ କାମ କରିଥିବା ଏବଂ ଓଲିଉଡ଼ ରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ରେ ଅଭିନୟ କରି ନାଁ କମାଇଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ର ରେ ନଜର ଆସିବେ l ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି l ତେବେ ‘ଟି’ ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି l ଚଳଚ୍ଚିତ୍ର ଟି ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି l

ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’ l ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମିଡ଼ିଆ ବନ୍ଧୁ ମାନଙ୍କ ନିମନ୍ତେ ପ୍ରଥମଥର ପାଇଁ ପ୍ରେକ୍ଷାଳୟ ରେ ସ୍ୱତନ୍ତ୍ର ପ୍ରଦର୍ଶନ ହେବ ଏବଂ ୧୫ ମେ ରେ ଟ୍ରେଲର ରିଲିଜ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା ସୁନିଶ୍ଚିତ କରିଛନ୍ତି l