ହ୍ୟାକର୍ସ ନେଇ ଗଲେ ୧୨.୪୮ କୋଟି, ବ୍ୟାଙ୍କ ଉପରେ ଫାଇନ ଲଗାଇଲା ଆରବିଆଇ

2
91
ହ୍ୟାକର୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୦୭) : ହ୍ୟାକର୍ସ ନେଇ ଗଲେ ୧୨.୪୮ କୋଟି । ସାଇବର କ୍ରାଇମ ପାଇଁ ପ୍ରଥମଥର ଆରବିଆଇ କୌଣସି ବ୍ୟାଙ୍କ ଉପରେ ଆର୍ଥିକ ଜୋରିମାନା ଲଗାଇଛି ।

ଏପି ମହେଶ କୋପୋରେଟିଭ ଅର୍ବାନ ବ୍ୟାଙ୍କ ସାଇବର ସିକ୍ୟୁରିଟିର ବ୍ୟବସ୍ଥା କରି ନଥିବାରୁ ଆରବିଆଇ ୬୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ଏହି ବ୍ୟାଙ୍କ ନିୟମକୁ ଅନୁପାଳନ କରି ନଥିବାରୁ ସାଇବର ଅପରାଧୀମାନେ ବ୍ୟାଙ୍କର ସିଷ୍ଟମକୁ ହ୍ୟାକ୍‌ କରି ୧୨.୪୮ କୋଟି ଟଙ୍କା ଲୁଟି ନେଇଥିଲେ । ଏହାପରେ ଆରବିଆଇ ସାଇବର ଅଡିଟ କରିବା ସହ ହାଇଦ୍ରାବାଦ ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ କରିଥିଲା । ଏହି ସମୟରେ ସାଇବର ସୁରକ୍ଷାରେ ବ୍ୟାପକ ତ୍ରୁଟି ଥିବା ଜଣା ପଡ଼ିଥିଲା । ଏଥିପାଇଁ ହ୍ୟାକର୍ସ ମାନେ ବ୍ୟାଙ୍କ ସିଷ୍ଟମରେ ପ୍ରବେଶ କରି ୧୨.୪୮ କୋଟି ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଥିଲେ । ୨୦୨୨ ଜାନୁଆରୀ ୨୪ରେ ବ୍ୟାଙ୍କରୁ ଲୁଟ ହୋଇଥିଲା। ମହେଶ ଏପି ବ୍ୟାଙ୍କ ପ୍ରଥମେ ସାଇବର ଚୋରି ନେଇ ଅଭିଯୋଗ କରିଥିଲା । ଜଣେ କେହି ହ୍ୟାକର ବ୍ୟାଙ୍କ ସିଷ୍ଟମ ଭିତରେ ପଶିବା ସହ ଏଠାରୁ ୧୨.୪୮ କୋଟି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ହ୍ୟାକର୍ସମାନେ ପ୍ରଥମେ ବ୍ୟାଙ୍କର କିଛି କର୍ମଚାରୀଙ୍କୁ ଇ-ମେଲ ପଠାଇଥିଲେ । ଏହି ଇ-ମେଲ ଗୁଡ଼ିକରେ ବେଶ ଚତୁରତାର ସହ ମାଲୱାରେ ବା ହ୍ୟାକ ପାଇଁ ବ୍ୟବହୃତ ସଫ୍ଟୱେରକୁ ଖଞ୍ଜା ଯାଇଥିଲା । ବ୍ୟାଙ୍କ କର୍ମଚାରୀମାନେ ଇ-ମେଲ ଗୁଡ଼ିକ ଖୋଲିବା କ୍ଷଣି ସାଇବର ଅପରାଧୀମାନେ ବ୍ୟାଙ୍କ ସିଷ୍ଟମର ପୂରା ଆସେସ ପାଇ ଯାଇଥିଲେ । ଏହାପରେ ସେମାନେ ୧୨.୪୮ କୋଟି ଟଙ୍କା ଲୁଟ କରି ନେଇଥିଲେ । ସାଇବର କ୍ରାଇମ ପୁଲିସ୍‌ ଏହି ଘଟଣାରେ ୨ ନାଜେରୀୟ ନାଗରିକଙ୍କ ସମେତ ୬ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।

ପୁଲିସ୍‌ ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ସାଇବର ଅପରାଧକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇ ନଥିଲା । ଏହାପରେ ହାଇଦ୍ରାବାଦ ପୁଲିସ୍‌ କମିଶନର ସିଭି ଆନନ୍ଦ ଆରବିଆଇ ଗଭର୍ଣ୍ଣରଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତ୍ରୁଟି ସମ୍ପର୍କରେ ଅବଗତ କରାଇଥିଲେ । ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରିବାକୁ ସେ ଅନୁରୋଧ କରିଥିଲେ । ଏହି ଚିଠିକୁ ଆଧାର କରି ଆରବିଆଇ ସାଇବର ଅଡିଟ କରିଥିଲା । ଏହାପରେ ବ୍ୟାଙ୍କ ଉପରେ ୬୫ ଲକ୍ଷର ଜୋରିମାନା ଲାଗୁ କରାଯାଇଛି।

2 COMMENTS

Comments are closed.