ନୀରବତା ଭାଙ୍ଗନ୍ତୁ ଏବଂ ମଣିପୁର ଆଦିବାସୀ ମହିଳାଙ୍କୁ ନାୟ ଦିଅନ୍ତୁ ” ASM ର ଦାବି

0
66

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୭) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ଦାହ କରାଯାଇଛି ।

ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ୩ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । (ନୀରବତା ଭାଙ୍ଗନ୍ତୁ ଏବଂ ମଣିପୁରର ଆଦିବାସୀ ମହିଳାମାନଙ୍କ ପାଇଁ ତୁରନ୍ତ ହସ୍ତକ୍ଷେପ କରନ୍ତୁ ) ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଦୁଇଜଣ କୁକି-ଜୋ ମହିଳାଙ୍କୁ ଉଲଗ୍ନ ପ୍ୟାରେଡ୍ କରାଯାଉଥିବାବେଳେ ଶହ ଶହ ପୁରୁଷଙ୍କ ଭିଡ଼ ସେମାନଙ୍କୁ ଏକ କ୍ଷେତକୁ ଟାଣି ନେଇ ମହିଳାଙ୍କ ଶରୀର ଉପରେ ଆକ୍ରମଣ କରାଯାଉଛି । ମଣିପୁର ହିଂସା ଆରମ୍ଭ ହେବାର ଗୋଟିଏ ଦିନ ପରେ କାଙ୍ଗପୋକପି ଜିଲ୍ଲାର ବି ଫେନୋମ ଗ୍ରାମରେ ଏହି ଜଘନ୍ୟ ଅପରାଧ ଘଟିଥିଲା। କିନ୍ତୁ ଏହା ବର୍ତ୍ତମାନ ସାମ୍ନାକୁ ଆସୁଛି। ସମଗ୍ର ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହା ଭୟଙ୍କର ଅଟେ । କିନ୍ତୁ ଏହା ହେଉଛି ମଣିପୁରର ବାସ୍ତବତା ଏବଂ ମଣିପୁର ଏବଂ କୁକି ସମ୍ପ୍ରଦାୟର ମହିଳାମାନେ ଦୁଇ ମାସରୁ ଅଧିକ ସମୟ ଧରି ଏହାର ସମ୍ମୁଖୀନ ହେଉଛନ୍ତି। ଯାହାର ଭିତରେ ମାନବିକତା ଅଛି, ସେ ଲଜ୍ଜାରେ ମୁଣ୍ଡ ନୁଆଁଇବେ ।

ମେ ୨୦୨୩ରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏଯାବତ ଜାରି ରହିଛି | ଦୁଇମାସ ମଧ୍ୟରେ ଜାତିଗତ ହିଂସା ମଧ୍ୟରେ ୧୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ସେଠାରେ ଅନେକ ଯୌନ ହିଂସା ଘଟିଲାଣି ​​ଏବଂ ୪୦୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଏଥିରେ ଏକ ଯୋଜନାବଦ୍ଧ ଦଙ୍ଗାର ସମସ୍ତ ସଙ୍କେତ ରହିଛି, ଯେଉଁଥିରେ କୁକି ଆଦିବାସୀଙ୍କୁ ଭୋଗିବାକୁ ପଡୁଥିଲା ଏବଂ ସେମାନଙ୍କର ଚର୍ଚ୍ଚ ମଧ୍ୟ ପୋଡି ଯାଇଥିଲା । ଏଥିପାଇଁ ସମ୍ପୂର୍ଣ୍ଣ ଦୋଷ ସିଧାସଳଖ ମଣିପୁର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପରେ ରହିଛି । ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ଏଏସଏମ) ତରଫରୁ ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ସରକାର ହସ୍ତକ୍ଷେପ କରିବା ସହ କେନ୍ଦ୍ର ଏବଂ ରାଜ୍ୟ ସରକାର କୁକି ଆଦିବାସୀମାନଙ୍କ ବିରୁଦ୍ଧରେ ଏହି ବ୍ୟବସ୍ଥିତ ହିଂସାକୁ ସମାପ୍ତ କରିବା ପାଇଁ ଦାବି କରାଯାଉଛି ।

ତିନି ଦଫା ଦାବୀ ମଧ୍ୟରେ ରହିଛି, ତୁରନ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଗିରଫ କରିବା, ମଣିପୁର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଇସ୍ତଫା ଦେବା ଓ ସୁପ୍ରିମକୋର୍ଟ ମହିଳା ଓକିଲଙ୍କୁ ଘଟଣାର ଅନୁସନ୍ଧାନ ଲାଗି ପଠାଇବା ସହିତ ମଣିପୁର ପୋଲିସ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା । ଆଜିର ଏହି ପ୍ରତିବାଦ ସଭାରେ ତ୍ରିପତି ଗମାଙ୍ଗ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟ କରିଥିବାବେଳେ ଅନାସିମ ଶବର, ବୃନ୍ଦାବନ ବିଡିକା, ସଞ୍ଜୀବ ଶବର, ମିନ ଶବର, ଉର୍ମିଲା ନିମାଲା, ସୁଜାତା ଶବର, ପ୍ରକାଶ କିମ୍ବାକା ,ଗଣେଶ ଶବର ,ଗୋବିନ୍ଦ ଶବର, ଦାସୁରୁ ବିଡିକା, ଛାନ୍ତି ମଣ୍ଡାଙ୍ଗି, ଦିବାକର ଶବର, ନିରଞ୍ଜନ ଶବର ପ୍ରମୁଖ ସହଯୋଗ କରିଥିଲେ ।