ସାମ୍ବାଦିକ ସ୍ଵର୍ଗତ ଶ୍ରବଣ ପ୍ରଧାନଙ୍କ ମାଆ ଙ୍କୁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

0
57

ରିପୋର୍ଟ : ପ୍ରେମାନନ୍ଦ ନାଏକ/ଧ୍ରୁବରାଜ ମିଶ୍ର 
ସୁବର୍ଣ୍ଣପୁର, (୨୨/୦୭) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ବୀରମହାରାଜପୁର ର ସାମ୍ବାଦିକ ସ୍ଵର୍ଗତ ଶ୍ରବଣ କୁମାର ପ୍ରଧାନ ଙ୍କ ମା ଦମୟନ୍ତୀ ପ୍ରଧାନ ଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦତ୍ତ ଚାରି ଲକ୍ଷ ଟଙ୍କା ର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ର ନିର୍ଦ୍ଦେଶାନାମା ପ୍ରଦାନ କରିଛନ୍ତି l

ଏଠାରେ ସୂଚନାଯୋଗ୍ୟ ଯେ ବୀରମହାରାଜପୁର ଉପଖଣ୍ଡର ଲୋକପ୍ରିୟ ସାମ୍ବାଦିକ ଶ୍ରବଣ ପ୍ରଧାନ ଙ୍କ ଗତବର୍ଷ ଅଗଷ୍ଟ ମାସରେ ଅସାମୟିକ ଦେହାନ୍ତ ହୋଇଯାଇଥିଲା l ସେ ଦୀର୍ଘ ବର୍ଷ ଧରି ଧରିତ୍ରୀ ସମ୍ବାଦପତ୍ର ର ଫଟୋ ଜର୍ଣ୍ଣାଲିଷ୍ଟ ହିସାବରେ ସୂଚାରୁ ରୂପରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ l ଏହା ସହିତ ବୀରମହାରାଜପୁର ର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ l ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ନିସ୍ୱାର୍ଥପର ଭାବରେ ସହାୟତା ଯୋଗାଇ ଦେଉଥିଲେ l ଏଭଳି ଜଣେ ପରୋପକାରୀ ସାମ୍ବାଦିକ ଙ୍କ ମୃତ୍ୟୁ ରେ ବୀରମହାରାଜପୁର ସହରର ଜନସାଧାରଣ ତଥା ଜିଲ୍ଲା ର ସମସ୍ତ ସାମ୍ବାଦିକ ଗଭୀର ଦୁଃଖ ପ୍ରକାଶ କରିଥିଲେ l ସେ ଅବିବାହିତ ଥିବାରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ତାଙ୍କର ବୃଦ୍ଧା ମାଆ ଙ୍କୁ ଓଡ଼ିଶା କର୍ତ୍ତବ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ରୁ ଏକକାଳୀନ ଅନୁକମ୍ପା ମୂଳକ ସହାୟତା ହିସାବରେ ଚାରି ଲକ୍ଷ ଟଙ୍କା ଆକାଉଣ୍ଟ୍ ଜରିଆରେ ପ୍ରଦାନ କରାଯିବ l

ଏହି ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ସହାୟତା ନିର୍ଦ୍ଦେଶାନାମା ଶ୍ରବଣ ଙ୍କ ମା ଦମୟନ୍ତୀ ଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ସମ୍ପାଦକ ବ୍ଯୋମକେଶ ଦାସ, ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ସତ୍ୟବାନ ପୁରୋହିତ ଙ୍କ ସମେତ ମାନଭଞ୍ଜନ ପୂଜାରୀ, ନିରଞ୍ଜନ ଭୋଇ ତଥା ବିଭାଗୀୟ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଉଦ୍ୟମ କ୍ରମେ ଏହି ସହାୟତା ରାଶି ଶୀଘ୍ର ପ୍ରାପ୍ତ ହୋଇଥିବାରୁ ମା ଦମୟନ୍ତୀ ଏବଂ ସାମ୍ବାଦିକ ସଂଘ ଧନ୍ୟବାଦ ଅର୍ପଣ କରିଥିଲେ l