1. Big News : ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ନୀରଜ ଚୋପ୍ରା; ଜିତିଲେ ସ୍ୱର୍ଣ୍ଣ ପଦକ

0
80
ବିଶ୍ୱ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୮) : ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ ।

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ନୀରଜ ଚୋପ୍ରା; ଜିତିଲେ ସ୍ୱର୍ଣ୍ଣ ପଦକ : ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା । ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ। ପ୍ରଥମ ଥ୍ରୋ ଫାଉଲରୁ ଆରମ୍ଭ କରିଥିଲେ ବି ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ ନୀରଜ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ପ୍ରଥମ ଭାରତୀୟ ଭାବେ ନୀରଜ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି ।

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି । ଦମ୍‌ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଅଭିଯାନ ଶେଷ କରିଥିଲେ ।

ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ। ଏବେ ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି । କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।