ପରିଚୟ ଅପେକ୍ଷାରେ ଲୁକ୍କାୟିତ ଶୈବପୀଠ ଶ୍ରୀ ମୀନାଝୋଲା

0
61

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୮/୯) : ବେଦ ଓ ଶାସ୍ତ୍ର ଅନୁସାରେ ମୀନରୂପେ ହରିହର ଭେଟ ଭାରତର ଉତ୍ତର ପୂର୍ବ କୋଣ ଓଡ଼ିଶାର ଶ୍ରୀ ମୀନାଝୋଲା ଠାରେ ବିଦ୍ୟମାନ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସବୁଜ ପରିବେଶ ସାଙ୍ଗକୁ ସୁଉଚ୍ଚ ପାହାଡ଼ ରାଶିରେ ପରିପୂର୍ଣ୍ଣ ଶ୍ରୀ ମୀନାଝୋଲା ଶୈବପୀଠ । ଦୀର୍ଘ ୫୦୦ ବର୍ଷ ର ଐତିହ ବହନ କରୁଥିବା ଏହି ପ୍ରାଚୀନ ଶୈବପୀଠ ଏବେ ନିଜ ପରିଚୟ ଖୋଜୁଛି । ଏହାକୁ ଓଡ଼ିଶାର କାହିଁକି ସାରା ଭାରତର ପ୍ରୟାଗ ରାଜ (ତ୍ରିବେଣୀ ସଙ୍ଗମ) ବୋଲି କୁହାଯାଏ । ଚାଉଳ ଧୁଆ, ଫଳଫଳିଆ ନଦୀର ପବିତ୍ର ଜଳଧାରା ଏଠାରେ ବଂଶଧାରା ନଦୀ ସହ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରିଛି । ଶକ୍ତି ସ୍ଥଳ ଠାରୁ ସଙ୍ଗମ ସ୍ଥଳ ମାତ୍ର ୩୦୦ ମିଟର ,ଏହା ମଧ୍ୟରେ କିଛିବି ଅପଭ୍ରଂଶ ନଦୀ ନାଳ ମିଶି ନାହିଁ ଯାହା ଏ ସ୍ଥାନର ଅଲୌକିକତାର ପରିଚୟ ଦିଏ ।

ଏହି ସଙ୍ଗମ ସ୍ଥଳରେ ଶ୍ରୀ ମୀନକେତନେଶ୍ଵର ଏକ ବିରାଟ ପଥର ଗର୍ତ୍ତ ମଧ୍ୟରେ ମୀନ ରୂପରେ ପୂଜା ପାଉଥିବାରୁ ଏଠାକାର ନାମ ମୀନାଝୋଲା ରହିଛି । ଏହି ଗର୍ତ୍ତ ମଧ୍ୟରେ ବିପରୀତ ପଟୁ ମୁହାଁ ମୁହିଁ ହୋଇ ଦୁଇଟି ମୀନ ରୂପ ରହିଛି। ଏଣୁ ଏଠାରେ ଉଭୟ ହରି ଓ ହର ମୀନ ରୂପରେ ଏକତ୍ର ହୋଇ ଭକ୍ତଙ୍କ ଠାରୁ ପୂଜା ପାଇ ଆସୁଛନ୍ତି । ପ୍ରଭୁ ଶିବଙ୍କ ଏଭଳି ମୀନ ରୂପରେ ପୂଜା ପାଇବା ଓଡ଼ିଶା କାହିଁକି ସାରା ଭାରତଵର୍ଷରେ ଏମିତିକି ସାରା ବିଶ୍ଵରେ ମଧ୍ୟ ବିରଳ ।

ପୁରାଣ ମତ୍ତ ଅନୁସାରେ ଅଁଳା ବୃକ୍ଷ – ବ୍ରହ୍ମା ,ବଟ ବୃକ୍ଷ – ବିଷ୍ଣୁ ଓ ଅଶ୍ଵତଥ ବୃକ୍ଷ – ରୁଦ୍ରଙ୍କ ପ୍ରତିକ । ଏହି ଶୈବପୀଠରେ ଏଭଳି ଏକ ଅଲୌକିକ କଳ୍ପବଟ ରହିଛି ଯେଉଁଠାରେ ଅଁଳା ବୃକ୍ଷ କୋରଡରୁ ବଟ ଓ ଅଶ୍ଵତଥ ବୃକ୍ଷ ବାହାରିଛନ୍ତି । ଶାସ୍ତ୍ରୀୟ ମତ୍ତରେ ବିଷ୍ଣୁଙ୍କ ନାଭି ମଣ୍ଡଳରୁ ବ୍ରହ୍ମାଙ୍କ ଉତ୍ପତ୍ତି, କିନ୍ତୁ ଏଠାରେ ବ୍ରହ୍ମାଙ୍କ କୋଳରେ ହରି ହର ବସିଥିବା ଦୃଶ୍ୟମାନ ହୁଏ । ଯାହା ଏ ପୀଠର ଅଲୌକିକତାକୁ ଦର୍ଶାଏ । ବିସ୍ମୟର ବିଷୟ ଏହିକି, ପବିତ୍ର କେଦାରନାଥ (ଉତ୍ତରାଖଣ୍ଡ) ସହ ମୀନକେତନେଶ୍ଵର ପୀଠର ସାମଞ୍ଜସ୍ୟ ।

ଶ୍ରୀ କେଦାରନାଥ ବରଫାବୃତ ହୋଇ କାର୍ତ୍ତିକ ଏକାଦଶୀ ଠାରୁ ଅକ୍ଷୟ ତୃତୀୟା ଯାଏଁ ପ୍ରାୟ ଛଅ ମାସ ଅଦୃଶ୍ୟ ରହନ୍ତି ଓ ଆଉ ଛଅ ମାସ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି , ଠିକ୍ ସେହିପରି ଶ୍ରୀ ମୀନକେତନେଶ୍ଵର (ଶ୍ରୀ ମୀନାଝୋଲା) ଆଷାଢ଼ ଶିବ ଚତୁର୍ଦ୍ଦଶୀ ଠାରୁ ମାଘ ଶିବ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପ୍ରାୟ ଛଅ ମାସ ଜଳମଗ୍ନ ରହନ୍ତି ଓ ଛଅ ମାସ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଯେତେବେଳେ ପ୍ରଭୁ ଜଳମଗ୍ନ ଥାଆନ୍ତି ଜନକଲ୍ୟାଣ ଆଶ୍ରମ ଭକ୍ତଙ୍କ ଦ୍ଵାରା ପ୍ରଭୁ ମୀନକେତନେଶ୍ଵରଙ୍କ ଆଜ୍ଞାମାଳ ପାଇ ଆଶ୍ରମରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ ।

କଥାରେ ଅଛି ବିଶ୍ଵାସ ମୂଳେ ଏ ଜଗତ, ବିଶେଷ କରି ସନ୍ତାନହୀନ ଦମ୍ପତି ମାନେ ଏହି ପବିତ୍ର ଶୈବପୀଠରେ ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରି ଗୌରି କୁଣ୍ଡରେ ବୁଡ଼ ପକାଇ ପ୍ରଭୁ ମୀନକେତନେଶ୍ଵରଙ୍କ ଦର୍ଶନ କଲେ ସନ୍ତାନ ପ୍ରାପ୍ତି ହେବାର ନଜିର ରହିଛି । ଏହି ପ୍ରାଚୀନ ଶୈବପୀଠ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିଲେ ମଧ୍ୟ ଏହାର କୌଣସି ବିକାଶ ଏଯାବତ ହୋଇପାରିନାହିଁ । ବର୍ତ୍ତମାନ ସ୍ଵାମୀ ଜନକାନନ୍ଦ ‌ଗିରିଙ୍କ ତତ୍ତ୍ଵାବଧାନରେ ଏଠାରେ ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠା କରାଯାଇଛି । ବର୍ଷର ବାର ମାସରେ ତେର ପର୍ବ ପାଳନ କରାଯାଉଛି । ବିଶେଷ କରି ମାଘ ପୂର୍ଣ୍ଣିମା ଓ ବୈଶାଖ ମାସ ସୋମବାର ଓ ପୂର୍ଣ୍ଣିମାରେ ହଜାର ହଜାର ଭକ୍ତ ଏଠାରେ ବୁଡ଼ ପକାନ୍ତି ।

ବର୍ଷର ପ୍ରତ୍ୟେକ ମାସ , ସଂକ୍ରାନ୍ତିରେ ପଞ୍ଚ ଯଜ୍ଞ ଯଥା ଅଗ୍ନି ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ, ଜପ ଯଜ୍ଞ ଓ ତପ ଯଜ୍ଞ ପାଳିତ ହୁଏ । ଚୈତ୍ର ମାସ ନବରାତ୍ରିରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ଶ୍ରୀ ରାମ ନବମୀ ମହା ଆଡ଼ମ୍ବରରେ ପାଳିତ ହୁଏ । ସେ ଯାହାହେଉ ଏଠାର ପବିତ୍ର ତ୍ରିବେଣୀ ସଙ୍ଗମ, କଳ୍ପବୃକ୍ଷ, ଗୌରିକୁଣ୍ଡ, ଗୋ ମୁଖ ତଥା ଶୀତଳ ପରିବେଶରେ ପରିବେଷ୍ଟିତ ଏହି ପବିତ୍ର ଶୈବପୀଠ ଭାରତର ଜନସାଧାରଣଙ୍କ ହୃଦୟ ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ ।

ଭାରତ ମାନଚିତ୍ରରେ ଏହି ବିରଳ ପର୍ଯ୍ୟଟନସ୍ଥଳୀ ନିଜର ପରିଚୟ ଖୋଜୁଥିବା ବେଳେ ସ୍ବାମୀ ଜନକାନନ୍ଦ ‌ଗିରି(ମୁଖ୍ୟ ପରିଚାଳକ), ବାଳକୃଷ୍ଣ ପଣ୍ଡା (ଅଧ୍ୟକ୍ଷ), ଉଦୟ ଚନ୍ଦ୍ର ପଣ୍ଡା (ମୁଖ୍ୟ ସମ୍ପାଦକ) ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁଣପୁରର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏହି ବିରଳ ଶୈବପୀଠ ଶ୍ରୀ ମୀନାଝୋଲା, କିପରି ଲୋକଲୋଚନକୁ ଆସିପାରିବ ସେ ସମ୍ବନ୍ଧରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଗଲା ।