ଶୌଚ ପାଇଁ ଯାଇଥିବା ବେଳେ କାଠଯୋଡ଼ିରେ ବୁଡ଼ି ଗଲେ ଯୁବକ

0
43
ଶୌଚ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୩/୧୦) : କାଠଯୋଡ଼ି ନଦୀରେ ଅଘଟଣ । କଟକ ଗୋପାଳପୁର ବଢ଼େଇ ସାହି ନିକଟରେ କାଠଯୋଡ଼ି ନଦୀରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବୁଡ଼ି ନିଖୋଜ ହୋଇଯାଇଛନ୍ତି ।

ନିଖୋଜ ଯୁବକଙ୍କ ନାଁ ଚିନ୍ମୟ ପ୍ରଧାନ । କଟକ ସଦର ଥାନା ପୁଲିସର ସୂଚନା ଅନୁଯାୟୀ ଚିନ୍ମୟ ଶୌଚ କରିବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ପଡ଼ି ଯାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନଥିଲା । ଗତକାଲି କଟକ ଜିଲ୍ଲା ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତରେ ଥିବା ଡମଡ଼ମଣୀ ପୀଠ ନିକଟ ଡ୍ୟାମ୍‌ରେ ଜଣେ ଯୁବକ ବୁଡ଼ି ଯାଇଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ନାଁ ଅଂଶୁମାନ ନାୟକ (୨୨) । ତାଙ୍କ ଘର କଟକ ସିଡିଏ ଅଞ୍ଚଳରେ ।

ଗତକାଲି ଅଂଶୁମାନ ଓ ତାଙ୍କର ତିନି ଜଣ ସାଙ୍ଗ ଡମଡ଼ମଣୀକୁ ଭୋଜି କରିବାକୁ ଯାଇଥିଲେ । ସେମାନେ ଡ୍ୟାମ୍‌ରେ ଗାଧେଉ ଥିବା ବେଳେ ଅଂଶୁମାନ ବୁଡ଼ି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ଚୌଦ୍ଵାର ଅଗ୍ନିଶମ ବାହିନୀ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲା । ଆଜି ଓଡ୍ରାଫ ଓ ଏନ୍‌ଡିଆରଏଫ ସହିତ ଚୌଦ୍ଵାର ଅଗ୍ନିଶମ ବାହିନୀ ପୁଣି ଖୋଜାଖୋଜି କରିଥିଲା ଓ ଅଂଶୁମାନଙ୍କ ମୃତଦେହ ଉଦ୍ଧାର କରିଥିଲା । ସୂଚନାଯୋଗ୍ୟ, ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ନଦୀ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ କଟକ ଜିଲ୍ଲାରେ ବୁଡ଼ି ମରିଛନ୍ତି ୩୬୪ ଜଣ ।