ଘରେ ପଶି ମା’-ପୁଅଙ୍କୁ ହାଣିଲେ

0
38
ଘରେ ପଶି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୮/୧୦) : ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗାଁ’ରେ ଘରେ ପଶି ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ୩ରୁ ୪ ଜଣ ବ୍ୟକ୍ତି

ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ନାଁ ଦୁନିଆ ସାହୁ । ଆହତ ଦ୍ୱୟ ହେଲେ ଦୁନିଆଙ୍କ ମା’ କୁନି ସାହୁ ଓ ସାନ ଭାଇ ଆଲୋକ ସାହୁ । ଆଜି ରାତି ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଛି । ତିନିରୁ ଚାରି ଜଣ ବ୍ୟକ୍ତି ଦୁନିଆ ସାହୁଙ୍କ ଘରେ ପଶିଥିଲେ । ସେମାନେ ପ୍ରଥମେ ଦୁନିଆଙ୍କୁ ହାଣି ଥିଲେ । ଏହି ସମୟରେ ତାଙ୍କ ମାଆ ଓ ଭାଇ ତାଙ୍କୁ ରକ୍ଷା କରିବାକୁ ଆସିଥିଲେ । ତେଣୁ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ସଦର ଥାନା ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଦୁନିଆ ସାହୁଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଦୁନିଆଙ୍କ ନାଁରେ ଡକାୟତି, ଲୁଟ୍, ଅପହରଣ ଭଳି ମାମଲା ରହିଛି । ତାଙ୍କ ଆଖପାଖ ଗାଁ’ର କିଛି ଲୋକ ମିଶି ତାଙ୍କୁ ଆକ୍ରମଣ କରିଥିବା ତାଙ୍କ ସାନ ଭାଇ ଆଲୋକ ସାହୁ ପୁଲିସ୍‌କୁ କହିଥିବା ଜଣାପଡ଼ିଛି । ଆଲୋକଙ୍କ ବୟାନ ଆଧାରରେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବାକୁ ଅଭିଯାନ ଆରମ୍ଭ କରିଛି ।