ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

0
39
ପଞ୍ଚଭୂତରେ ଲୀନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୮/୧୦) : ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସ୍ୱରୂପଙ୍କୁ ତାଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷକୃତ୍ୟ ସଂପନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଗତକାଲି ସ୍ୱରୂପ ନାୟକଙ୍କର ପରଲୋକ ଘଟିଥିଲା। ବିଭିନ୍ନ ବର୍ଗ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିବା ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୫୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ । ସେ ପ୍ରାୟ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ । ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ । ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ ।

୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୮୪ ମସିହାର ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ‘ହୀରାନୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସହର ଜଳୁଛି, ଲାଲ୍‌ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍‌ ୟୁ, ଶାଶୁ ଘର ଚାଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପ୍ରାୟ ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ୱରୂପ ନାୟକ । ଜୀବନ ବ୍ୟାପି ସାଧନା ପାଇଁ ତରଙ୍ଗ ପକ୍ଷରୁ ସ୍ୱରୂପ ଦା’ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଛି ।