ବନ୍ଧା ହେଲେ ବିଜ୍ଞାନ ଶିକ୍ଷକ, ଜାଲ୍ ସାର୍ଟିଫିକେଟ ଦେଇ କରୁଥିଲେ ଚାକିରୀ

0
68
ବନ୍ଧା ହେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୧/୧୧) : ବଲାଙ୍ଗିରରେ ପୁଣି ଧରା ପଡ଼ିଲେ ନକଲି ଶିକ୍ଷକ । ଜାଲ୍ ସାର୍ଟିଫିକେଟର ଦେଖାଇ ଚାକିରି ହାତେଇବା ସହ ସାଜିଥିଲେ ବିଜ୍ଞାନ ଶିକ୍ଷକ । ଆଉ ଏବେ ସବୁ ଗୁମର ଫିଟିବା ପରେ ବନ୍ଧା ହୋଇଛନ୍ତି ବିଜ୍ଞାନ ଶିକ୍ଷକ ।

ଗିରଫ ଶିକ୍ଷକ ହେଲେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ । ଭକ୍ତ ଚରଣ ସେଠ ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଲାଙ୍ଗିର ଜିଲ୍ଲା ଫେକ୍‌ ସାର୍ଟିଫିକେଟର ହବ୍‌ ପାଲଟି ସାରିଲାଣି । ଫେକ୍‌ ସାର୍ଟିଫିକେଟ୍‌ ଦେଇ ଏଠାରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ହାତେଇଥିବା ଜଣାପଡ଼ିଛି । ଏପରି ଅଭିଯୋଗ ଆସିବା ପରେ ଆକ୍ସନ ମୁଡକୁ ଚାଲି ଅସିଥିବା ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଯାଞ୍ଚ ବେଳେ ବଲାଙ୍ଗିର ଜିଲ୍ଲାର ୨୫୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ସନ୍ଦେହ ଘେରକୁ ଆସିଥିଲା। ସେ ଗୁଡ଼ିକର ଅଧିକ ଯାଞ୍ଚ କରାଯାଉଛି ।