ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0
53
ମାଟି ତଳୁ ମୃତଦେହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୬/୧୧) : ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ । ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା । ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ । ଗାଁ ଲୋକଙ୍କଠାରୁ ଖବର ପାଇ ଏସ୍‌ଡ଼ିପିଓ ସୁବ୍ରତ କୁମାର, ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରେ ପହଞ୍ଚିଥିଲେ ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ୍‌ ମାଟି ଖୋଳି ମୃତଦେହ ବାହାର କରିଥିଲା । ପୁଲିସ୍‌ ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତଦେହକୁ କମଳରେ ଘୋଡ଼ାଇ ରଶୀରେ ବାନ୍ଧି ପୋତି ଦେଇଥିବା ଦେଖିବାକୁ ମିଳୁଛି । ହେଲେ ତାଙ୍କ ପରିଚୟ ମିଳିପାରି ନାହିଁ । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।