ହାତୀ ଦାନ୍ତ ଧରି ଯାଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ

0
43
ହାତୀ ଦାନ୍ତ ଧରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୦/୧୧) : ଏସିଆ ମହାଦେଶର ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳରେ ଥମୁନାହିଁ ଶିକାରୀଙ୍କ ପ୍ରାଦୁର୍ଭାବ । ଆଜି ପୁଣି ହାତୀ ଦାନ୍ତ ଧରି ଯାଉଥିବା ବେଳେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଛି ବନ ବିଭାଗ ।

ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି । ଆଜି କପ୍ତିପଦା ଥାନା ଅଞ୍ଚଳର ନିତ୍ୟାନନ୍ଦ ସିଂ, ଚାମୁରୁ ସିଂ, ଲଛୁ ସିଂ ଓ ମହୁଲଡିହା ଥାନା ଅଞ୍ଚଳର ରାଜୁ ବାଙ୍କିରା ହାତୀ ଦାନ୍ତ ଧରି ବାଇକ୍‌ରେ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝରନ ନିକଟରେ ଛପି ରହିଥିଲେ । ଶିକାରୀମାନେ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ବନ ବିଭାଗ । ବନ ବିଭାଗ ସେମାନଙ୍କଠାରୁ ୩ ବାଇକ, ଚାରୋଟି ମୋବାଇଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଜବତ ବାମ ହାତୀ ଦାନ୍ତର ଓଜନ ୧ କିଲୋ ୯ ଶହ ଗ୍ରାମ ଥିବା ବେଳେ ଲମ୍ବ ୬୮ ସେଣ୍ଟିମିଟର ରହିଛି ।

ସେହିପରି ହାତୀର ଡାହାଣ ଦାନ୍ତର ଓଜନ ୧ କିଲୋ ୯ ଶହ ୫୦ ଗ୍ରାମ ହୋଇଥିବା ବେଳେ ଲମ୍ୱ ୭୨ ସେଣ୍ଟି ମିଟର ରହିଛି । ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ । ତେବେ ସେମାନେ କେତେ ଦିନ ହେଲା ଏହି କାରବାର କରୁଥିଲେ, ତାହା ଜଣାପଡ଼ି ନାହିଁ । ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ଏହି ରାକେଟରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଥିବା ବନ ବିଭାଗ କହିଛି ।