ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌, ଜଣେ ମୃତ

3
47
ଓଲଟିଲା ଗୋରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୦/୧୧) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଜୁଆଳିକଟା ଛକ ନିକଟରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି ।

ଏଥିରେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଛି । ୧୦ଟି ଗୋରୁ ନେଇ ପିକ୍‌ଅପ୍ ଭ୍ୟାନ୍‌ଟି ଠାକୁରମୁଣ୍ଡାରୁ କରଞ୍ଜିଆ ଆଡ଼କୁ ଯାଉଥିବା ବେଳେ ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ଓଲଟି ପଡ଼ିଥିଲା । ଗାଡ଼ିଟି ଓଲଟି ପଡ଼ିବା ପରେ ଡ୍ରାଇଭର ସେଠାରୁ ଖସି ପଳାଇଥିଲେ । କିନ୍ତୁ ଗାଡ଼ିରେ ବସିଥିବା ଆଉ ଜଣେ ବ୍ୟକ୍ତି ତା’ ତଳେ ଚାପି ହୋଇ ରହିଯାଇଥିଲେ । ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ତେବେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଦୁର୍ଘଟଣାରେ ଆହତ ଗୋରୁଗୁଡ଼ିକୁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଚିକିତ୍ସା କରାଯାଉଛି । ଠାକୁରମୁଣ୍ଡା ଥାନା ପୁଲିସ ଘଟଣାର ତଦନ୍ତ କରୁଛି । କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାରେ ପ୍ରତ୍ୟେକ ଦିନ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି ।

3 COMMENTS

Comments are closed.