କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା, ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ

0
71
କନ୍ଧମାଳ ଜିଲ୍ଲାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୧/୧୨) : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜାଜନକ ଘଟଣା । ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ହେଲେ ୫ ମାସର ଗର୍ଭବତୀ

ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ରୀ ଜଣକ । ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ସମୟରେ ଛାତ୍ରୀ ଜଣକ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଗତ ୨୫ ତାରିଖରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ପରୀକ୍ଷା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଦେଇଥିଲେ । ବ୍ରହ୍ମପୁର ବଡ ମେଡିକାଲରେ ସବିଶେଷ ପରୀକ୍ଷା ପରେ ନାବାଳିକା ଛାତ୍ରୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏହାପରେ ଗତ ୨୫ ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାସ ଏ ନେଇ ସଦର ଥାନାରେ ଏତାଲା ଦେଇଥିଲେ ।

ପୋଲିସ ନାବାଳିକାଙ୍କୁ ପଚରାଉଚରା କରିବା ପରେ ଏହି ଘଟଣା ପଛରେ ଜନୈକ ସ୍ଥାନୀୟ ଯୁବକଙ୍କ ହାତ ଥିବା ପୀଡିତା ନାବାଳିକା ପ୍ରକାଶ କରିଥିଲେ । ପୋଲିସ ଏ ନେଇ ୧୯୧/୨୩ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ନାବାଳିକା ଛାତ୍ରୀଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ କାଉନସେଲିଂ କରାଯିବା ପରେ ସ୍ଥାନୀୟ ସଖୀ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଛି । ଅପରପକ୍ଷରେ, ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇ ଯାଇଥିବା ତଦନ୍ତକାରୀ ଅଧିକାରୀ ସମ୍ବିତ ବେହେରା ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ଏଭଳି ଘଟଣା ଜନଜାତି ବିଭାଗ ପରିଚାଳିତ ବିଦ୍ୟାଳୟ ମାନଙ୍କରେ ଅନ୍ତେବାସିନୀ ମାନଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର ଏ ସମ୍ପର୍କରେ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ଏବଂ ଯଦି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଥିରେ କୌଣସି ଦୋଷ ତ୍ରୁଟି ପରିଲିକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି l