ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ମିଗଜୋମ

0
43
ଗଭୀର ଅବପାତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୧୨) : ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ ।

ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାର ପ୍ରଭାବ ଆଗାମୀ ୨୪ ଘଣ୍ଟା ଯାଏ ରହିବ ବୋଲି ସୂଚନା ରହିଛି । ବାତ୍ୟା ମିଗଜୋମ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ।

ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତ୍ରରେ ପାଣି ପଶି ନଷ୍ଟ ହୋଇଯାଇଛି । ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁବିଭାଗୀୟ ଅଧିକାରୀମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ଅଧିକାରୀମାନେ ରିପୋର୍ଟ ପ୍ରଦାନ କଲେ ତାର ଅନୁଧ୍ୟାନ କରାଯାଇ କ୍ଷତି ପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି ।