ଦାଦାବାଟି ଦେବାକୁ ମନା କଲେ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ

0
47
ଦାଦାବାଟି ଦେବାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୩୧/୧୨) : ଦାଦାବାଟି ପାଇଁ ବୁଲିଲା ମାରଣାସ୍ତ୍ର । ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ । ନୂଆ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହରର ବିଚ୍‌ ବଜାରରେ ଏପରି ଆତଙ୍କରାଜ ଖେଳାଇଛନ୍ତି କିଛି ଅସାମାଜିକ ଯୁବକ ।

ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ କାଲି ରାତି ନଅଟା ସମୟରେ କେନ୍ଦ୍ରାପଡ଼ା ବଡ଼ ବଜାରରେ ଥିବା ଏକ କପଡ଼ା ସୋ ରୁମର ମାଲିକ ମିର ଖାଦୀମ ବକ୍ସ କ୍ୟାସ କାଉଣ୍ଟରରେ ବସିଥିଲେ । ଉକ୍ତ ସମୟରେ ହଠାତ୍‌ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ବାଡ଼ି, ଓ ବିଭିନ୍ନ ମାରଣାସ୍ତ୍ର ଧରି ଶୋ’ ରୁମ୍‌ ଭିତରେ ପଶିଥିଲେ । ଏହାପରେ ସେମାନେ ବ୍ୟବସାୟୀଙ୍କୁ ମିଳିତ ଭାବେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ବିଚ୍‌ ବଜାରରେ ବୁଲୁଥିବା ଦେଖି କିଛି ସମୟ ପାଇଁ ରାସ୍ତାରେ ଆତଙ୍କ ଖେଳି ଯାଇଥିଲା ।

ଏହା ଦେଖି ଆଖିପାଖରେ ଥିବା ଲୋକମାନେ ଛତ୍ର ଭଙ୍ଗ ଦେବା ସହ ଅନ୍ୟ ବ୍ୟବସାୟୀ ନିଜ ଦୋକାନ ଶଟର ପକାଇ ଦେଇଥିଲେ ।ଫାଣ୍ଡିଠୁ ଅଳ୍ପ ଦୂରରେ ଖୁଲମଖୁଲା ମାରଣାସ୍ତ୍ର ବୁଲୁଥିବା ବେଳେ ପୁଲିସ୍‌ ଏ ସମ୍ପର୍କରେ କିଛି ଟେର ପାଇ ପାରି ନ ଥିଲା । ଖବର ପାଇ ପାଟ୍ରୋଲିଂ ଟିମ୍‌ ପହଞ୍ଚି ଜଣେ ଦୁର୍ବୃତ୍ତଙ୍କୁ କାବୁ କରି ପଚରାଉଚରା କରୁଛି । ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ । ଦାଦାବଟି ନ ଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ତେବେ କେନ୍ଦ୍ରାପଡ଼ା ସହରର ଯୁବ ଗୋଷ୍ଠୀ ନିଶାସକ୍ତ ହୋଇ ଧୀରେ ଧୀରେ ଅପରାଧ ଜଗତରେ ପାଦ ଦେଉଥିବାରୁ ଏହା ପୁଲିସ୍‌ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।