ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ

0
41
ଓଡ଼ିଶା ଦଖଲ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୧୨) : ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଷ୍ଟ୍ରାଟେଜି । ଦାୟିତ୍ୱରେ ରହିବେ ଖୋଦ୍ ମୋଦି, ଶାହା ଓ ରାଜନାଥ । ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି ।

ଲୋକସଭା ନୁହେଁ, ଫୋକସରେ ବିଧାନସଭା । ଆଜି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକରେ ଏଇ ବାର୍ତ୍ତା ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ସହ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ମାନସମନ୍ଥନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର । ଯାହାର ପ୍ରମୁଖ ବିନ୍ଦୁ ସବୁ ଥିଲା- ଓଡ଼ିଶାରେ କ୍ଲଷ୍ଟର ଷ୍ଟ୍ରାଟେଜି ଆପଣାଇବ ଦଳ । ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଏହି ୩ କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ । ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି କ୍ଲଷ୍ଟର ଦାୟିତ୍ୱରେ ରହିବେ । ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବଂଶଲ । କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ ବୋଲି କେନ୍ଦ୍ର ନେତୃତ୍ୱ ସଫା ସଫା ଶୁଣାଇ ସାରିଥିବାରୁ ଏ ସ୍ପଷ୍ଟ ବାର୍ତ୍ତା ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚାଅ ।

ଅନ୍ୟପଟେ ରାଜ୍ୟରେ ଦ୍ୱିମୁଖୀ ଲଢ଼େଇ ସ୍ଥିତି ଥିବାରୁ ପ୍ରତିବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ ପାଇଁ, ପଦାଧିକାରୀ ବୈଠକରେ ବୁଥ ମ୍ୟାନେଜମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ ବଂଶଲ । ସେହିପରି ବୁଥ୍ କମିଟି ଗଠନ ପରେ ମଣ୍ଡଳ ସ୍ତରରେ ବୁଥ୍ ସମ୍ମିଳନୀ କରି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥିସହ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀ ସୋସିଆଲ ମିଡିଆରେ ସକ୍ରିୟ ରହି କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟର ବିଫଳତାର ପ୍ରଚାର ପ୍ରସାର କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଜେଡି କହିଛି ଯେତେ କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବି ଫରକ ପଡ଼ିବନି । ଗତକାଲି ସମନ୍ୱୟ ବୈଠକ ପରେ ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକ ହେଲା । ଆସନ୍ତା କାଲି ହେବ ସଂଯୁକ୍ତ ମୋର୍ଚ୍ଚା ଗୁଡ଼ିକର ବୈଠକ । ତେବେ ଏହି ୩ ଦିନିଆ ମାନସମନ୍ଥନ, ୨୪ ମହାଲଢ଼େଇରେ ଦଳକୁ ଓଡ଼ିଶାରେ କେତେ ସଫଳତା ଦେଉଛି ତା ଉପରେ ନଜର ।