ପ୍ରତିଶ୍ରୁତି ରଖିଲେନି ମୁଖ୍ୟମନ୍ତ୍ରୀ; ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଲେ ଲୋକେ

0
34
ପ୍ରତିଶ୍ରୁତି ରଖିଲେନି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୦୨/୦୧) : ପଦ୍ମପୁର ଉପ ନିର୍ବାଚନ ସମୟରେ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ପ୍ରତିଶ୍ରୁତି ପାଳନ କଲେନି ରାଜ୍ୟ ସରକାର ।

ତେଣୁ ‘ଉପ’ ଶବ୍ଦରେ କାଳି ବୋଳି ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଲେ ଲୋକେ । ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମିଶିବେ ବୋଲି ଧମକ ଦେଲେ । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ପ୍ରଚାରରେ ଯାଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂବରିହାଙ୍କୁ ବିପୁଳ ଭୋଟ୍‌ ଦେଇ ବିଜୟୀ କରାଇଥିଲେ । ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯାଇଥିଲେ । ଆଉ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଧନ୍ୟବାଦ ଦେଇଥିଲେ । ୨୦୨୩ ଡିସେମ୍ୱର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ।ଆଜି ନୂଆବର୍ଷ । ୨୦୨୩ ମସିହା ଯାଇ ୨୦୨୪ ମସିହା ପଦାର୍ପଣ କଲାଣି । ହେଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଲା ନାହିଁ । ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାର ପ୍ରତିବାଦରେ ରାଜବୋଡାସମ୍ୱର କୃଷକ ସଂଗଠନର ଶତାଧିକ ଚାଷୀ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ବିଶାଳ ସଭା ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତା’ପରେ ଚାଷୀମାନେ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଲେଖାଯାଇଥିବା (ଉପ ଜିଲ୍ଲାପାଳ କାର୍ଯ୍ୟାଳୟ) ‘ଉପ’ ଶବ୍ଦକୁ କାଳିରେ ଲିଭାଇ ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଦେଲେ । ଅର୍ଥାତ ବର୍ତ୍ତମାନ ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖା ରହିଛି।ଭୌଗୋଳିକ ଦୃଷ୍ଟି କୋଣରେ ଦେଖରବାକୁ ଗଲେ ପଦ୍ମପର ଜିଲ୍ଲା ପାଇଁ ଯୋଗ୍ୟ ।

ପଦ୍ମପୁର ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ । ଏଠାକାର ଲୋକମାନେ ଛତିଶଗଡ଼ର ଲୋକମାନଙ୍କ ସହ ବନ୍ଧୁ ବାନ୍ଧବ ଭାବରେ ସମ୍ପର୍କ ରଖି ଆସୁଛନ୍ତି । ପଦ୍ମପୁରଠାରୁ ୧୦ କିମି ଦୂରରେ ଛତିଶଗଡ଼ ରାଜ୍ୟ ରହିଛି । ଓଡ଼ିଶାରେ ଚାଷୀଙ୍କଠାରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ୍‌ ଧାନ କିଣା ହେଉଥିବା ବେଳେ ଛତିଶଗଡରେ ୨୦ କ୍ୱିଣ୍ଟାଲ୍‌ ଧାନ କିଣାଯାଉଛି । ଓଡ଼ିଶାଠାରୁ ଛତିଶଗଡ଼ରେ ଧାନ ଦର ଅଧିକ ରହିଛି । ସେଠାକାର ଚାଷୀମାନଙ୍କୁ ବିଦ୍ୟୁତ ବିଲରେ ରିହାତି ଦିଆଯାଇଥିବା କରାଣରୁ ଚାଷୀମାନେ ଛତିଶଗଡ଼ରେ ମିଶିବାକୁ ଦାବି କଲେଣି ।