ସ୍କୁଟି-ବାଇକ ଧକ୍କା; ଝିଅ ମୃତ, ବାପା ଓ ପୁଅ ଗୁରୁତର

0
50
ସ୍କୁଟି-ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୭/୦୧) : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବାଟଗ୍ରାମ ବ୍ରିଜ ନିକଟରେ ଏକ ସ୍କୁଟି-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକଙ୍କ ନାଁ ବର୍ଷା ପାତ୍ର। ତାଙ୍କ ବାପା ସୂର୍ଯ୍ୟ ପାତ୍ର ଓ ଭାଇ ଗୁରୁତର ଆହତ ହୋଇଛନ୍ତି । ସେହିଭଳି ବାଇକ୍‌ ଆରୋହୀ ଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଶ୍ରୀବତ୍ସପୁର ଗ୍ରାମର ସୂର୍ଯ୍ୟ ପାତ୍ର ସ୍କୁଟିରେ ଝିଅ ଓ ପୁଅଙ୍କୁ ବସାଇ ଘରକୁ ଫେରୁଥିଲେ। ବାଟଗ୍ରାମ ବ୍ରିଜ ନିକଟରେ ଏକ ବାଇକ ଦ୍ରୁତ ଗତିରେ ଆସୁଥିବା ବେଳେ ତା’ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ସୂର୍ଯ୍ୟ ପାତ୍ର, ତାଙ୍କ ଝିଅ ଓ ପୁଅ ସ୍କୁଟିରୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବର୍ଷାଙ୍କର ମୃତ୍ୟୁ ଘଟିଥିଲା । ସୂର୍ଯ୍ୟ ପାତ୍ର, ତାଙ୍କ ପୁଅ ଓ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଡାକ୍ତରଖାନା ନେଇଥିଲେ ସ୍ଥାନୀୟ ଲୋକେ । ତିନି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ କମର୍ଦ୍ଦା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।