ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ “ମଣ୍ଡେଇ” ଯାତ୍ରାର ଅୟମାରମ୍ଭ 

0
127
ଅବିଭକ୍ତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୧/୨) : ବୋରିଗୁମ୍ମା ବ୍ଳକ୍ ବିସିଂହପୁର ଗ୍ରାମ ନିକଟସ୍ଥ ମାଁ ଶାଙ୍କୁଳାଇଙ୍କ ମନ୍ଦିରରେ ଆଜି ପାରମ୍ପରିକ ମଣ୍ଡେଇ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ “ମଣ୍ଡେଇ” ଯାତ୍ରାର ଅୟମାରମ୍ଭ । ପ୍ରତିବର୍ଷ ମାଘ ମାସର ଶେଷ ବୁଧବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମନ୍ଦିର ପୂଜାରିଙ୍କ ଘରୁ ଏକ ଲାଠି ଆସିବା ପରେ ଏହି ଦିନ ମନ୍ଦିରରେ ପୂଜାକରାଯାଏ । ଏହାର ଠିକ ୨ ଦିନପରେ ଏଠାରୁ ଭୋଗ, ଲାଠି ପ୍ରଭୃତି ପହଞ୍ଚିଲା ପରେ ବୋରିଗୁମ୍ମା ସ୍ଥିତ ମାଁ ଶାଙ୍କୁଳାଇଙ୍କ ଭାଇ ହିସାବରେ ପରିଚିତ ଭୈରବଙ୍କ ମନ୍ଦିର ବା ପୀଠରେ ପ୍ରବଳ ଜନ ସମାଗମ ପୂର୍ବକ ମଣ୍ଡେଇ ଯାତ୍ରା ସମ୍ପନ୍ନ ହୁଏ । ମାଁ ଶାଙ୍କୁଳାଇଙ୍କର ଭାଇ ଭୈରବଙ୍କ ବ୍ୟତୀତ ଗୁଜୁନିଗୁଡ଼ା ଗ୍ରାମରେ ଏକ ଭଉଣୀ ମଧ୍ୟ ପୂଜା ପାଇ ଆସୁଛନ୍ତି । ମଣ୍ଡେଇ ଯାତ୍ରା ଦିନ ଅନେକ ମାନସିକ ଧାରୀ ଏହି ପୀଠରେ କୁକୁଡା, ଛେଳି, ମେଣ୍ଢା ଇତ୍ୟାଦି ବଳି ପ୍ରଦାନ କରିବାର ପରମ୍ପରା ଅଛି ।ଏହିପୀଠରେ ଯାତ୍ରା ଅନୁଷ୍ଠିତ ହେବା ପରେ ହିଁ କ୍ରମାନ୍ୱୟରେ ବୋରିଗୁମ୍ମା, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଧଣ୍ଡରା ଓ ଶେଷରେ ଧୋଡ୍ରା ଠାରେ ଯାତ୍ରା ଶେଷ ହୁଏ ।

ଆଦିବାସୀ ମାନେ ମାଣ୍ଡିଆ, ମୁଗ,ବିରି, ଇତ୍ୟାଦି ଗୋଡ଼ରେ ମାଡ଼ି(କୁଦି) ଏହି ସମୟରେ ଅମଳ କରିଥା’ନ୍ତି । “ମାଡ଼ିବା” ବା (କୁଦିବା)ଶବ୍ଦକୁ ଆଦିବାସୀ ମାନେ “ମଣ୍ଡେଇ” କହୁଥିବାରୁ ସମ୍ଭବତଃ ଏହି ଯାତ୍ରାର ନାମ ମଣ୍ଡେଇ ଯାତ୍ରା ହିସାବରେ ପ୍ରଚଳିତ ହୋଇ ଆସିଛି । ନିର୍ବାଚନର ବର୍ଷ ହୋଇଥିବାରୁ ପ୍ରାୟ ସମସ୍ତ ରାଜନୀତିକ ଦଳର ଟିକେଟ ଆଶାୟୀ ପ୍ରାର୍ଥୀ ମାନେ ଯାତ୍ରାରେ ସାମିଲ ହୋଇ ଲୋକଙ୍କ ସହ ମିଶି ଯାତ୍ରା ଉପଭୋଗ କରୁଥିବା ଦେଖାଯାଇଛି । ବୋରିଗୁମ୍ମାରେ ଏହି ସମୟରେ ବାଲି ଯାତ୍ରା ଅନୁଷ୍ଠିତ ହେଉଥିବାରୁ କିଛି ବର୍ଷ ପରମ୍ପରା ଭାଙ୍ଗି ବି.ସିଂହପୁର ମାଁ ଶାଙ୍କୁଳାଇଙ୍କ ପୀଠରେ ଯାତ୍ରା ହେବା ପୂର୍ବରୁ ଭୈରବଙ୍କ ପୀଠରେ ଯାତ୍ରା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ବ୍ୟତିକ୍ରମ ହୋଇ ନ ଥିବାରୁ ବୁଦ୍ଧିଜୀବି ଭକ୍ତମାନେ ସନ୍ତୋଷ ତଥା ଆଶ୍ଵସ୍ତି ପ୍ରକଟ କରିଛନ୍ତି ।