ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

0
62
ଦୁର୍ଘଟଣାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୩/୦୨) : ସଡ଼କ ଦୁର୍ଘଟଣାରେ ବଡ଼ ଭାଇ ଓ ପୁତୁରାଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ଏପରି ଏକ ଦୁ‍ଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ମୃତକମାନେ ହେଉଛନ୍ତି- କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା । ସମସ୍ତଙ୍କ ଘର ବାରିଗାଁ’ରେ । ଆଜି ସକାଳ ପ୍ରାୟ ୯ଟା ବେଳେ ଲକ୍ଷ୍ମଣ ବାପାଙ୍କ ସହ ସ୍କୁଟିରେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ । ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ୍‌ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପପୁଅଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ଗାଁ’ରେ ପହଞ୍ଚିବା ପରେ ଲକ୍ଷ୍ମଣଙ୍କ ଦାଦା ସମରା ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ସମରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃହଘାତରେ ସମରାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ NH-20କୁ ଅବରୋଧ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କାନ୍ଦବୋବାଳିରେ ଫାଟିପଡ଼ୁଛି ବାରିଗାଁ ।