ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି : ଜଗନ୍ନାଥ ନୁଣ୍ଡ୍ରୁକା ବିଜେଡି ଛାଡି ବିଜେପିରେ ମିଶିଲେ

0
171
ସବୁ କଳ୍ପନା

ରିପୋର୍ଟ : ଗୋପୀନାଥ ଗୌଡ଼
ମୁନିଗୁଡ଼ା, (୦୧/୦୩) : ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଏବେ ଚରମ ସୀମାରେ ।WhatsApp Image 2024 03 01 at 21.21.29 ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି : ଜଗନ୍ନାଥ ନୁଣ୍ଡ୍ରୁକା ବିଜେଡି ଛାଡି ବିଜେପିରେ ମିଶିଲେ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି : ଜଗନ୍ନାଥ ନୁଣ୍ଡ୍ରୁକା ବିଜେଡି ଛାଡି ବିଜେପିରେ ମିଶିଲେ । ଆଗକୁ ନିର୍ବାଚନ ଥିବାରୁ ନେତାମାନେ ନିଜ ନିଜର ଭାଗ୍ୟ ଭବିଷ୍ୟକୁ ନେଇ ବେଶ ତତ୍ପରତା ଦେଖାଉଛନ୍ତି । ଏବେ କାହାରିକୁ ଦର୍ଶନ ମିଳିବା ମୁସ୍କିଲ । ସମସ୍ତେ ଦଳୀୟ ଟିକେଟ ଖଣ୍ଡକ ପାଇଁ ରାଜଧାନୀରେ ପଇଁତରା ମାରୁଛନ୍ତି । ଯିଏ ନିଜକୁ ଅସୁରକ୍ଷିତ ଅଥବା ଦଳରେ ନିଜକୁ ଏକୁଟିଆ ମଣୁଛି,ଟିକେଟ ମିଳିବା ଆଶା ମଉଳି ଯାଉଥିବା ଦେଖି ଅନ୍ୟ ଦଳକୁ ଫକ୍ କରି ଡେଇଁ ପଡୁଛି । ଏବେ ବିଷମକଟକ ନିର୍ବାଚନ ମଣ୍ଡଳୀର ଜଣେ ଆଶାୟୀ ପାର୍ଥି ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡ୍ରୁକା ଏବେ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିବା ବିଜେପି ଦଳୀୟ ସୂତ୍ରରୁ ଜଣା ପଡ଼ିଛି । ଶ୍ରୀଯୁକ୍ତ ନୁଣ୍ଡ୍ରୁକା ଜଣେ ଆଦିବାସୀ ଯୁବକ । ରାଜନୀତିରେ ଜଣେ ସଫଳ ବ୍ୟକ୍ତିତ୍ଵ ସହିତ ମୁନିଗୁଡ଼ା ବ୍ଲକରେ ତାଙ୍କର ବହୁତ ଆଦର ଅଛି । ପୂର୍ବରୁ ସେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରହିଛନ୍ତି । ଏବେ ସେ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦରେ ଆସୀନ ।

ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ପାର୍ଥିତ୍ଵ ପାଇଁ ସେ ଉପରିସ୍ଥ ଦଳୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ, ଏହି ନିର୍ବାଚନ ମଣ୍ଡଳୀରେ ତିନି ତିନିଥର ଜିତି ମନ୍ତ୍ରୀତ୍ୱ ହାତେଇଥିବା ବିଷମକଟକ ଅଞ୍ଚଳର ଜଗନ୍ନାଥ ସାରାକା ମଧ୍ୟ ଆଗାମୀ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବା ନିଶ୍ଚିତ କାରଣରୁ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ପାଇଁ ଟିକେଟ ପାଇବା ଅନିଶ୍ଚିତତା ମଧ୍ୟରେ ଦେଖି ସେ ନିଜ ନିଷ୍ପତି କ୍ରମେ ଆଜି ବିଜେପି ଦଳରେ ସାମିଲ ହୋଇଛନ୍ତି । ଜଗନ୍ନାଥ ନୁଣ୍ଡ୍ରୁକାଙ୍କୁ ଏ ବିଷୟରେ ପଚାରିବା ପାଇଁ ଯୋଗାଯୋଗ କରିଥିଲୁ,ହେଲେ ଯୋଗାଯୋଗ ହୋଇ ପାଇନାହିଁ । ତାଙ୍କ ନିକଟ ସମ୍ପର୍କୀୟ ଜଣେ ଶୁଭେଚ୍ଛୁଙ୍କ କହିବା କଥା ଦଳରେ ଦୀର୍ଘ ବର୍ଷ ନିଃସ୍ଵାର୍ଥପର ଭାବେ ସେ କାମ କରିଛନ୍ତି ।

କିନ୍ତୁ ୧୬ବର୍ଷରେ ଯିଏ ରାଧା ଭୂମିକାରେ ସେତେବେଳେ ଅଭିନୟ କରୁଥିଲେ ସେ କଣ ୬୦ବର୍ଷରେ ବି ସେହି ରାଧା ରୋଲ କରିବେ ? ଅନ୍ୟ କାହାରିକୁ ସେ ଭୂମିକା ନିଭାଇବାକୁ ଦିଆ ନଯିବା ଦ୍ଵାରା ଆଶାୟୀ ମାନଙ୍କ ପ୍ରତି ଅନ୍ୟାୟ ହେଉନାହିଁ କି?ତାଙ୍କ କହିବା କଥା ଶ୍ରୀଯୁକ୍ତ ସାରକା ତିନି ତିନିଟା ଟର୍ମ ବିଧାନସଭା କ୍ଷେତ୍ରରେ ଲଢ଼ିଲେଣି ତାଙ୍କୁ ଏବେ ଏମପି ସିଟ ଓ ଶ୍ରୀଯୁକ୍ତ ନୁଣ୍ଡ୍ରୁକାଙ୍କୁ ବିଧାନସଭା ଟିକେଟ ଦେବାର ବ୍ୟବସ୍ଥା କରାଯାଇଥିଲେ ସବୁ ଠିକ୍ ହୋଇ ଥାଆନ୍ତା । ହେଲେ ବିଷମକଟକ ବିଧାନସଭା ଆସନକୁ ନେଇ ଏବେ ସବୁ ଅଙ୍କ ଭୁଲ ହେବାରେ ଲାଗିଛି ।

ଆଜି ପୂର୍ବାହ୍ନ ୧୧ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସହ ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡ୍ରୁକା, ତେଲେଙ୍ଗାପଦର ଅଞ୍ଚଳର ବିଜେଡି ନେତା ବେଣୁଧର ଗାରେକା,ପାତ୍ରଗୁଡ଼ା ଅଞ୍ଚଳର ଶୁକଦେବ ବେହେରାଙ୍କ ସହ ଅନେକ ନେତା ବିଜେପି ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ବିଜୟପାଲ ତୋମାର,ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ଲେଖାଶ୍ରି ସାମନ୍ତ ସିଂହାର, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକସଭା ସଂଯୋଜକ ତ୍ରିନାଥ ପଣ୍ଡା,ବିଜେପି ରାଜ୍ୟ ଓବିଶି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଷମକଟକ ବିଧାନସଭା ପାର୍ଥି ଶିବଶଙ୍କର ଉଲ୍ଲାକା, ପୂର୍ବତନ ଜିଲ୍ଲା ଓବିଷୀ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ମୁଗଲୀ, ପୂର୍ବତନ ଅମ୍ବାଦଳା ମଣ୍ଡଳ ସଭାପତି ଭିକାରୀ ନାଆକ, ଗୌର ମହାନ୍ତି, ମଣ୍ଡଳ ସଭାପତି ପରମେଶ୍ବର ରାଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶ୍ରୀଯୁକ୍ତ ନୁଣ୍ଡ୍ରୁକା ବିଜେପି ଦଳରେ ସାମିଲ ହୋଇଥିଲେ ବୋଲି ଦଳୀୟ ସୂତ୍ରରୁ ଜଣାଯାଏ ।

ଯାହା ଜଣାପଡୁଛି ଏଥର ବିଷମକଟକ ବିଧାନସଭା କ୍ଷେତ୍ରରେ ନିର୍ବାଚନ ବହୁ ସଂଘର୍ଷ ପୂର୍ଣ୍ଣ ହୋଇପାରେ । ଏ ପର୍ଯ୍ୟନ୍ତ ସମସ୍ତ ଦଳର ପୂର୍ଣ୍ଣାଙ୍ଗ ଚିତ୍ର ଯେହେତୁ ସାମନାକୁ ଆସିନି ତେଣୁ ନିର୍ବାଚନକୁ ନେଇ ଆକଳନ କରିବା କଷ୍ଟକର ବ୍ୟାପାର । ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ବିଜେପିକୁ ଆଗମନ ଫଳରେ ବିଜେପି ଶିବିରରେ ଉଷ୍ମତା ଢେର ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ବିଜେଡି ଦଳ ତରଫରୁ କୌଣସି ପ୍ରତିକ୍ରିୟା ସାମନାକୁ ଆସିନୀ । ନିର୍ବାଚନ ଯେତେ ଯେତେ ପାଖେଇ ପାଖେଇ ଆସିବ ବିଭିନ୍ନ ଦଳୀୟ ଚିତ୍ର ଓ ଚରିତ୍ର ସେତେ ସ୍ପଷ୍ଟ ହୋଇଯିବ ।