ମନିପର୍ସ ରୁ ମର୍ଡର

0
48
ମନିପର୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୩/୦୩) : ମନିପର୍ସ ରୁ ମହାଭାରତ । ଯୁବକଙ୍କୁ ହତ୍ୟା । ଘଟଣାଟି ଘଟିଛି ବାରିପଦା ସୁନଗଡ଼ିଆରେ ।

ଗତକାଲି ଦ୍ୱିପହରେ ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରୁ ରାମଚନ୍ଦ୍ର ମୁଖି ନାମକ ଜଣେ ଯୁବକ ଏକ ମନିପର୍ସ ପାଇଥିଲେ । ପରେ କିଛି ଯୁବକ ସେଠାରେ ପହଞ୍ଚି ପର୍ସଟି ସେମାନଙ୍କର ବୋଲି ଦାବି କରିଥିଲେ । ରାମଚନ୍ଦ୍ର ପର୍ସଟିକୁ ସେମାନଙ୍କୁ ଫେରାଇ ଦେଇଥିଲେ । ତେବେ ଗଣ୍ଡଗୋଳ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଉକ୍ତ ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା । ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏମିତିକି ମାରପିଟ ମଧ୍ୟ ହୋଇଥିଲେ । ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ ।

ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା । ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ । ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ରାମଚନ୍ଦ୍ର ମୁଖିଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଶହ ଶହ ଲୋକେ ଟାଉନ ଥାନା ସାମ୍ନାରେ ଆସି ରୁଣ୍ଡ ହୋଇଥିଲେ । ସେଠାରେ ପୁଲିସ୍ ଓ ଲୋକଙ୍କ ମଧ୍ୟର ଠେଲାପେଲା ସ୍ଥିତି ଉପୁଜିଥିଲା । ପୁଲିସ୍ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଘଟଣାରେ ପୁଲିସ୍ କିଛି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି ।