ଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଜ୍ୱାଇଁ !

0
19
ଶ୍ୱଶୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୬/୦୫) : ଗାଁ ଦାଣ୍ଡରେ ଲୁହା ଚେନ୍‌ରେ ଜ୍ୱାଇଁଙ୍କୁ ବାନ୍ଧି ମାଡ଼ ମାରିଲେ ଶ୍ୱଶୁର ! ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଛାଡ଼ି ନଥିଲେ ।

ଏପରିକି ପାଖରେ ଥିବା ପତ୍ନୀ ମଧ୍ୟ ତାଙ୍କୁ ଉଦ୍ଧାର କରିନଥିଲେ । ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଜ୍ୱାଇଁ । ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରୁ । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଗଉରେନମୁଣ୍ଡା ଗାଁ’ର ଡିଲେଶ୍ୱର ତରିଆ ବଲାଙ୍ଗିର ସଦରଥାନା ସରଗଡ଼ ଗ୍ରାମର ଶତ୍ରୁଘ୍ନ ନାଏକଙ୍କ ଝିଅ ସୁକାନ୍ତିକୁ ବିବାହ କରିଥିଲେ । ତାଙ୍କର ଚାରୋଟି ଝିଅ ଅଛନ୍ତି। କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ ଛୁଆଙ୍କୁ ଧରି ନିଜ ବାପା ଘରକୁ ଚାଲି ଯାଇଥିଲେ ସୁକାନ୍ତି ।

ଗତ ୨ ତାରିଖରେ ନିଜ ଶ୍ୱଶୁର ଘର ସରଗାଡ଼ ଯାଇଥିଲେ ଡିଲେଶ୍ଵର। ସେଠାରେ ପୁଣି ଠାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ଶ୍ୱଶୁର ଶତ୍ରୁଘ୍ନ ଗାଁର ଅନ୍ୟମାନଙ୍କ ସହାୟତରେ ଜ୍ୱାଇଁକୁ ଲୁହା ଚେନ୍‌ରେ ଗଛରେ ବାନ୍ଧି ଦେଇଥିଲେ। ଡିଲେଶ୍ୱର ଯେତେ କାକୁତି ମିନତି କରିଥିଲେ ମଧ୍ୟ ଛାଡିନଥିଲେ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି । ପରିବାର ଲୋକ ଯାଇ ଡିଲେଶ୍ଵରଙ୍କୁ ଉଦ୍ଧାର କରିଥିଲେ । ଗାଁ’କୁ ଫେରିବା ପରେ ବିଷ ପିଇ ଦେଇଥିଲେ ଡିଲେଶ୍ଵର ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଯୋଗୁ ଡିଲେଶ୍ଵର ଜୀବନ ହାରିଥିବା ନେଇ ଆଜି ସଦର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply