ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ୨୦୨୧ ପାଳିତ

0
129

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,ତା.(୦୪/୧୨) : ଶନିବାର ଦିନ ଉତ୍କଳମଣି ଆଦର୍ଶ ସେଚ୍ଛାସେବୀ ଅନୁଷ୍ଠାନ କାଶିଆଡିହି ର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଠାରେ ମହାସମାରୋହ ରେ ପାଳନ ହୋଇଯାଇଅଛି ।

ଏହି ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ, ମୁଖ୍ୟ ବକ୍ତା ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ଦେଳଇ, ମୁଖ୍ୟବକ୍ତା ବରିଷ୍ଠ ଆଇନ୍‌ଜୀବୀ ଓ ସମାଜସେବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ ଅନ୍ୟତମ, ରିଡର ପଲିଟିକାଲ୍ ସାଇନ୍ସ ମାନସୀ କର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ସାରଗର୍ଭକ ଭାଷଣ ମାଧ୍ୟମରେ କଳାକାର ଓ ଦର୍ଶକମାନଙ୍କୁ ଆପ୍ୟାୟତ କରିଥିଲେ ।

ଏହି ଅବସରରେ ସୁସଙ୍ଗୀତ ମହାବିଦ୍ୟାଳୟ ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଶ୍ରୀ ରାସବିହାରୀ ଦେହୁରୀଙ୍କ କଳାନୈପୁଣ୍ୟତା ର ଝଲକ କଳାକାରମାନଙ୍କ ଠାରେ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଦେଉଳ ସାହି ର ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନନ୍ଦଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ସୁର୍ ସଙ୍ଗୀତ ର ସମସ୍ତ କଳାକାର ତଥା ଆଞ୍ଚଳିକ କଳାକାର ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନ ର ସଭାପତି ପ୍ରକାଶ କୁମାର ପରିଡା ସଭା ପରିଚାଳନା କରିଥିଲେ । ଅଜୟ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହିତ ଝରଣା ସାହୁ, ସାଗରିକା, ମକୁନ୍ଦ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ଆଡ୍‌ଭୋକେଟ୍ ନିରୁପମା ପରିଡା ଅତିଥି ମାନଙ୍କୁ ଉତ୍ସବରେ ଯୋଗ ଦେଇଥିବାରୁ ତଥା ସମସ୍ତ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।