ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ

0
173

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୭/୧୨) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ର ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ । ଚିଠି ଲେଖିବାର ମାତ୍ର ୨ ମାସ ମଧ୍ୟରେ ତ୍ୱରିତ ପଦକ୍ଷେପ । ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସି ର ଉପ ଆଞ୍ଚଳିକ କାର୍ଯ୍ୟାଳୟ । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଇଏସଆଇସିର ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି ।

ସେହିଭଳି ଯାଜପୁର ଜିଲ୍ଲାର ଡୁବୁରୀରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯିବା ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗତ ସେପ୍ଟେମ୍ବର ୨୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖି ଭୁବନେଶ୍ୱର ଇଏସଆଇସିର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଝାରସୁଗୁଡ଼ା ଠାରେ ଇଆସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ଇଏସଆଇସିର ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଥିବା ସମସ୍ୟା କୁ ଦର୍ଶାଇବା ସହ ଉଲ୍ଲେଖ କରିଥିଲେ ଯେ ଭୁବନେଶ୍ୱର ରେ ଥିବା ଇଏସଆଇସି ର ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ର ପୂର୍ବାଞ୍ଚଳରେ ଅବସ୍ଥାପିତ ଅଛି । ଏହି କାରଣ ରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀ ଙ୍କୁ ଏହି କାର୍ଯ୍ୟାଳୟ କୁ ଯିବା ପାଇଁ ଦୂର ଦୂରାନ୍ତର ରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ ।

ଓଡ଼ିଶାରେ ଥିବା ୩୦ ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ୧୭ ଟି ଜିଲ୍ଲା ନିକଟବର୍ତ୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି । ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଞ୍ଚଳିକ କାର୍ଯ୍ୟାଳୟ କରାଗଲେ ୧୩ ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତ୍ତୀ ହେବ । ଦେଶ ର ଅନେକ ରାଜ୍ୟରେ ଇଏସଆଇସି ର ଗୋଟିଏ କିମ୍ବା ତଦୁର୍ଦ୍ଧ୍ୱ ଉପ ନିକଟବର୍ତ୍ତୀ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ଉପ ନିକଟବର୍ତ୍ତୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ୱରର ଇଏସଆଇ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଞ୍ଚଳ ରୁ ଅନେକ ଅଭିଯୋଗ ପତ୍ର, ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି ।

ତେଣୁ ପଶ୍ଚିମ ଓଡ଼ିଶା ର କର୍ମଚାରୀ ଏବଂ ଇଏସଆଇସି ହିତାଧିକାରୀଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ । ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।