ଧାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ କୁ ବନ୍ଦ କରିବା ଅଗଣତାନ୍ତ୍ରିକ : ବିଜେପି

0
146

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର, (୧୨/୧୨) : ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ବିଧାନସଭା ଅଧିବେଶନ କୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ନିକଟରେ ଭାରତୀୟ ଜନତା ପାର୍ଟି ବିଧାୟକଗଣ ଅଭିଯୋଗ କରିଛନ୍ତି ।

ବିଧାନସଭା ର ଚଳିତ ଅଧିବେଶନ ରେ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବି କୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଇ ନାହିଁ । ମାନ୍ୟବର ବାଚସ୍ପତି ମହୋଦୟ ଗୃହ କାର୍ଯ୍ୟ ପରିଚାଳନାରେ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଓଡ଼ିଶା ବିଧାନସଭା ର ମାନ୍ୟବର ବାଚସ୍ପତି ମହୋଦୟ ରାଜ୍ୟବାସୀଙ୍କ ସ୍ୱାର୍ଥ କୁ ଅଣଦେଖା କରି ଧାର୍ଯ୍ୟ ଦିବସ ପୂର୍ବରୁ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଭାବରେ ବିଧାନସଭା କୁ ପରିଚାଳନା କରୁଥିବାରୁ ସାମ୍ବିଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଥିବା ଅନୁଭବ କରି ତାଙ୍କ ବିରୁଦ୍ଧରେ ନିମ୍ନଲିଖିତ ଅଭିଯୋଗ ଉପସ୍ଥାପନ କରାଯାଇଛି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜଣାଇଛନ୍ତି ।

ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ବିଧାନସଭାରେ ଆଲୋଚନା କରିବା ପାଇଁ ଭାରତୀୟ ସମ୍ବିଧାନ ର Article 174 ଅନୁୟାୟୀ ପ୍ରତି କ୍ୟାଲେଣ୍ଡର ବର୍ଷରେ ଅତିକମରେ ୬୦ ଟି କାର୍ଯ୍ୟ ଦିବସ ସହ ତିନୋଟି ଅଧିବେଶନ ବସିବାର ନିୟମ ରହିଅଛି । ଏହି ବିଷୟ ବସ୍ତୁଟି ମଧ୍ୟ Section 11 of the rules of procedures & conduct of business in the Odisha Legislative Assembly ରେ ଉଲ୍ଲେଖ ରହିଛି ।WhatsApp Image 2021 12 12 at 10.27.18 AM ଧାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ କୁ ବନ୍ଦ କରିବା ଅଗଣତାନ୍ତ୍ରିକ : ବିଜେପି

କିନ୍ତୁ ଓଡ଼ିଶା ଷୋଡ଼ଶ ବିଧାନସଭା ର ୨୦୧୯/ ୨୦୨୦/ ୨୦୨୧ କ୍ୟାଲେଣ୍ଡର ବର୍ଷରେ ୧୮୦ ଟି କାର୍ଯ୍ୟ ଦିବସ ସହ ୯ ଟି ଅଧିବେଶନ ବସିବା ପରିବର୍ତ୍ତେ ଆଜି ସୁଦ୍ଧା ୧୧୨ ଟି କାର୍ଯ୍ୟ ଦିବସ ସହ ମାତ୍ର ୮ ଟି ଅଧିବେଶନ ଅନୁଷ୍ଠିତ ହୋଇଛି । ଯାହାକି ରାଜ୍ୟବାସୀଙ୍କ ହିତ ଦୃଷ୍ଟି ରୁ ଅତ୍ୟନ୍ତ ନୈରାଶ୍ୟଜନକ ଅଟେ । କ୍ୟାଲେଣ୍ଡର ବର୍ଷୱାରୀ ଓ Session ୱାରୀ ବିସ୍ତୃତ ତଥ୍ୟ ମାନ୍ୟବର ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି । ଷୋଡ଼ଶ ବିଧାନସଭା ର ସମସ୍ତ ଅଧିବେସନ ସ୍ଥୀରୀକୃତ କାର୍ଯ୍ୟ ଦିବସ ର ସମାପନ ଦିବସ ପୂର୍ବରୁ ଅଧିବେଶନ କୁ ବନ୍ଦ କରିଦିଆଯାଇଛି ।

ଉଦାହରଣ ସ୍ୱରୂପ ଅଷ୍ଟମ ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ସ୍ଥୀରୀକୃତ କରାଯାଇଥିଲା ବେଳେ ଅଧିବେଶନ ସମାପନ ଦିବସ ର ୧୭ ଦିନ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବରେ ଗୃହକୁ ତା.୧୦/୧୨/୨୦୨୧ ଦିନ ବନ୍ଦକରି ଦିଆଯାଇଛି । ଅତି ପରିତାପ ର ବିଷୟ ଯେ, ଗୃହର ନେତା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା କୁ ବାରମ୍ବାର ଗସ୍ତ କରୁଥିବା ବେଳେ ଦୁଇବର୍ଷ ହେବ ବିଧାନସଭା କୁ ନିଜେ ଆସୁ ନାହାନ୍ତି ।

ରାଜ୍ୟ ର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଗୃହମନ୍ତ୍ରୀ ହିସାବରେ ବିଧାନସଭା ର ପବିତ୍ର ଗୃହରେ ସ୍ପଷ୍ଟୀକରଣ ଦେବାକୁ ନିଜେ ନ ଆସି ଭୁବନେଶ୍ୱରରେ ଥାଇ ଦଳୀୟ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମୁଖ୍ୟମନ୍ତ୍ରୀ ବିଧାନସଭା କୁ ପ୍ରବେଶ ନ କରିବା ଓ ବାଚସ୍ପତି ମଧ୍ୟ ତାଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ନ ଦେବା ବିଧାନସଭା ଗୃହ ର ଗାରିମା ନଷ୍ଟହେବା ସଙ୍ଗେ ସଙ୍ଗେ ତଥା ରାଜ୍ୟବାସୀଙ୍କ ପାଇଁ ଏକ ଅପମାନ ଓ ଅସମ୍ମାନ ର ବିଷୟ ହୋଇଯାଇଛି ବୋଲି ବିଷ୍ଣୁ ସେଠୀ କହିଛନ୍ତି ।WhatsApp Image 2021 12 12 at 10.27.18 AM 1 ଧାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ କୁ ବନ୍ଦ କରିବା ଅଗଣତାନ୍ତ୍ରିକ : ବିଜେପି

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓ ଭାରତୀୟ ସମ୍ବିଧାନ କୁ ସମ୍ମାନ ଦେବା ପାଇଁ ମାନ୍ୟବର ରାଜ୍ୟପାଳ ମହୋଦୟ, ମାନ୍ୟବର ବାଚସ୍ପତି ଙ୍କୁ ନିରପେକ୍ଷ ଭାବରେ ଗୃହ ପରିଚାଳନା କରିବାକୁ ଏବଂ ବିଧାନସଭା ଗୃହ କୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ବିରୋଧୀ ଦଳର ବିଧାୟକ ଭାବରେ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି । ବିଧାନସଭା ୬୦ ଦିନ ଚାଲିବା କଥା କିନ୍ତୁ ୩ ବର୍ଷ ହେବ ତାହା ଠିକ୍ ରୂପରେ ଚାଲୁନାହିଁ । ବିଭିନ୍ନ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାକୁ ଯାଉଛନ୍ତି ଅଥଚ ମୁଖ୍ୟମନ୍ତ୍ରୀ ଗୃହକୁ ଦୁଇବର୍ଷ ହେବ ଆସୁ ନାହାଁନ୍ତି ।

ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି ଏବଂ ତାର ପ୍ରତିବାଦ କଲା ପରେ ରାଜରାସ୍ତାରେ ପୋଲିସ ଗୋଡେଇ ଗୋଡେଇ ବାଡେଇ ସରକାରୀ ଗୁଣ୍ଡାର ଦାୟିତ୍ୱ ନିର୍ବାହ କରୁଛି । ଏହି ମମିତା ମେହେର ହତ୍ୟା ଘଟଣାଟିକୁ ସିବିଆଇ କୁ ହସ୍ତାନ୍ତର କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ଦିନରୁ ଦାବି କରିଆସିଛି । କିନ୍ତୁ ତାହାକୁ କର୍ଣ୍ଣପାତ ନକରି ରାଜ୍ୟସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ବିଷ୍ଣୁ ସେଠୀ କହିଛନ୍ତି ।

ମାନ୍ୟବର ରାଜ୍ୟପାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକ ଦଳ ତରଫରୁ ଅନୁରୋଧ କରାଯାଇଅଛି ବୋଲି ବିଷ୍ଣୁ ସେଠୀ କହିଛନ୍ତି । ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ, ଭାସ୍କର ମଢେଇ, ସନାତନ ବିଜୁଳି, ନବ ଚରଣ ମାଝୀ, ପ୍ରକାଶ ସୋରେନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।