ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ଲଘୁଚାପରେ ପରିଣତ ହେବା ସମ୍ଭାବନା : ୨୬ ଯାଏଁ ଛେଚିବ

0
315

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୨/୦୭) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ମାତ୍ର ରାଜ୍ୟରେ ଏବେ ବର୍ଷାର ଯେଉଁଭଳି ଅଭାବ ରହିଛି, ତାହା ଭରଣା ହେବା ସମ୍ଭାବନା କମ୍‌ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାରକୁ ଲଘୁଚାପ ରୂପ ନେଇପାରେ । ହେଲେ ଏହା ବିଶେଷ ବର୍ଷା କରାଇବ ନାହିଁ । ୨୨ ତାରିଖରେ ସମଗ୍ର ରାଜ୍ୟରେ ଓ ୨୩ରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୩ରେ ଉପକୂଳ ଜିଲ୍ଲା ଓ ୨୩/୨୪ରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଲଘୁଚାପଜନିତ ମୌସୁମୀ ବର୍ଷା ହେବ । ୨୪ରୁ ଅଧିକାଂଶ ଜାଗାରେ ବର୍ଷା ଛାଡ଼ିଯିବ ।

ଆକଳନ କରାଯାଉଛି, ଆସନ୍ତା ୨୬ ତାରିଖ ସୁଦ୍ଧା ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ହାରାହାରି ୪୦, ଉପକୂଳରେ ୮୦ ଓ ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦୦ ମିମି ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ନୟାଗଡ଼ରେ ସମୁଦାୟ ୬୦ ମିମି ବର୍ଷା ହୋଇପାରେ ।

୨୬ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବ ୨୪ ତାରିଖ ବେଳକୁ ଜଣାପଡ଼ିବ । ତେଣୁ ବର୍ତ୍ତମାନର ନିଅଣ୍ଟିଆ ମୌସୁମୀ ଅତିକମ୍‌ରେ ୨୬ ପର୍ଯ୍ୟନ୍ତ ଅଧିକ ବଢ଼ିବ । ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ଅଣଜଳସେଚିତ ଜମିରେ ଧାନର ରୁଆବେଉସା କାମ ବେଶି ଆଗେଇବ ନାହିଁ ।

ପାଣିପାଗ ବିଭାଗ କହିଛି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୬ ଯାଏଁ ବର୍ଷା ହେବ । ୨୨ ତାରିଖରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।