୭ ତାରିଖରୁ ଅଷ୍ଟମ ରୁ ଊର୍ଦ୍ଧ୍ୱ ଶ୍ରେଣୀ ପାଠପଢା : ୧୪ ରୁ କେଜି ରୁ ସପ୍ତମ ଶ୍ରେଣୀ ଖୋଲିବ

0
119
୭ ତାରିଖରୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୪/୦୨) : ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିଛନ୍ତି । ୭ ତାରିଖରୁ ଅଷ୍ଟମ ରୁ ଊର୍ଦ୍ଧ୍ୱ ଶ୍ରେଣୀ ର ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବାକୁ ନିଷ୍ପତି ନେଇଛନ୍ତି ।

ଆସନ୍ତା ସୋମବାର ଅର୍ଥାତ୍ ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଠୁ ତଦୁର୍ଦ୍ଧ୍ୱ ଶ୍ରେଣୀ ର ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ । ସେହିପରି ୧୪ ତାରିଖରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲରେ ପାଠପଢ଼ା ହେବ । ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ । ସେଥିରେ ଉଚ୍ଚ ଶିକ୍ଷା ବିଭାଗ ସମେତ ଟେକନିକାଲ, ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ସାମିଲ ଅଛି । ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗ ଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ ।

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୨ ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କୋଭିଡ ର ୩ଟି ଲହରୀ ଯୋଗୁ ପିଲାମାନେ ଦୁଇ ବର୍ଷ ହେଲା ସ୍କୁଲ ଯାଇପାରୁ ନାହାଁନ୍ତି । ତୃତୀୟ ପର୍ଯ୍ୟାୟରେ ଓମିକ୍ରନ ଲହରୀ ଯୋଗୁଁ ଗତ ଏକ ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏବେ ତୃତୀୟ ପର୍ଯ୍ୟାୟ ପିକରେ ପହଞ୍ଚି ସାରିଥିବା ତଥା ଏହାର ସଂକ୍ରମଣ କମ୍ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା । ତା’ସହିତ ୧୫ ରୁ ୧୮ ବର୍ଷ ବୟସ ର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି । ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାର ରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବ । ଏହା ସହିତ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବ । ତେବେ କେଜି ରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଖୋଲିବ ।

କେଜି ରୁ ନବମ ଶ୍ରେଣୀ ପିଲାମାନଙ୍କ କ୍ଲାସ ପ୍ରମୋସନ ପରୀକ୍ଷା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ବୋର୍ଡ ପରୀକ୍ଷା ମଧ୍ୟ ଯଥାବିଧି କରାଯିବ । କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଖୋଲିବ । ସ୍କୁଲ ଗୁଡ଼ିକ ଚାହିଁଲେ ପିଲାମାନଙ୍କ ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଖରାଛୁଟି ର ଅବଧି ହ୍ରାସ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।