ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

0
146
ଆସନ୍ତା ୩୬ ଘଣ୍ଟା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୪/୦୨) : ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହ ବର୍ଷା ଏବଂ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ର ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଫେବ୍ରୁଆରି ୪ ଓ ୫ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଶୁକ୍ରବାର ସକାଳୁ ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ର କେତେକ ସ୍ଥାନରେ ମଧ୍ୟମ ଧରଣ ର ବର୍ଷା, କେନ୍ଦ୍ରାପଡ଼ା, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ସ୍ୱଳ୍ପ ରୁ ମଧ୍ୟମ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ୱଳ୍ପ ଏବଂ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ ।

ଆଜି ରାତିରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୪ ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ । ପରବର୍ତ୍ତୀ ୩ ଦିନ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ର ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବଢ଼ିବ । ସୋମବାର ସୁଦ୍ଧା ପ୍ରାୟ ୩ ଡିଗ୍ରି ବଢ଼ିବ । ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର ଓ ଶନିବାର ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମି ସୋମବାରଠାରୁ ପୁଣି କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ଶୁକ୍ରବାର ଓ ଶନିବାର ରାତିରେ କୁହୁଡ଼ି ହେବାକୁ ଥିବା ବେଳେ ଗୁରୁବାର ଓ ଶୁକ୍ରବାର ରାତିରେ ଉତ୍ତର ଓଡ଼ିଶାରେ କୁହୁଡ଼ି ପଡ଼ିବ ।