ମୁଣ୍ଡେରକ୍ଷେତ ପଞ୍ଚାୟତ ରେ ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

0
149
ମୁଣ୍ଡେରକ୍ଷେତ ପଞ୍ଚାୟତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ସୁନ୍ଦରଗଡ଼, (୧୬/୦୨) : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ମାଲୁପଡ଼ା ଗାଁ ରେ ସରପଞ୍ଚ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିବା ଖବର ଗତ ସପ୍ତାହରେ ରାଜ୍ୟବ୍ୟାପୀ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ହେମଗିର ବ୍ଲକ୍ ମୁଣ୍ଡେରକ୍ଷେତ ପଞ୍ଚାୟତ ରେ ଜଣେ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥିବା ଖବର ଆସିଛି ।671 6 ମୁଣ୍ଡେରକ୍ଷେତ ପଞ୍ଚାୟତ ରେ ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

ମୁଣ୍ଡେରକ୍ଷେତ ପଞ୍ଚାୟତ ର ‘ଓଁ ଶିବାୟ କ୍ଲବ୍‘ ଜନମଞ୍ଚ ଆୟୋଜନ କରି ନିର୍ବାଚନ ଲଢ଼ୁଥିବା ପଞ୍ଚାୟତର ସମସ୍ତ ୫ ସରପଞ୍ଚ ଓ ୯ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଡାକିଥିଲା । ତେବେ ଏଥିରେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ । ସରପଞ୍ଚ ପ୍ରାର୍ଥୀ ସନ୍ନ୍ୟାସୀ ବାଗ, ସମିତି ସଭ୍ୟ ପ୍ରାର୍ଥୀ ବୀରେନ୍ଦ୍ର ପଧାନ, ହତେଶ୍ୱର ପ୍ରଧାନ, ଜୟନ୍ତ ପଧାନ, ରୋହିତ ଜୟପୂରିଆ ଓ ନିତ୍ୟାନନ୍ଦ ଖମାରୀଙ୍କୁ ପ୍ରଥମେ ଭୋଟର ମାନେ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ପ୍ରାର୍ଥୀମାନେ ସେ ଗୁଡ଼ିକର ଉତ୍ତର ଦେଇଥିଲେ । ଏହା ପରେ ସେମାନଙ୍କ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଲିଖିତ ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ସମିତି ସଭ୍ୟର କାର୍ଯ୍ୟ କ’ଣ ? ସମିତି ସଭ୍ୟ ଭାବେ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କ’ଣ କରିବେ ? ଆଦର୍ଶ ପଞ୍ଚାୟତ ର ରୂପରେଖ କ’ଣ ? କେଉଁଥି ପାଇଁ ଆପଣ ଏହି ପଦବୀରେ ଛିଡ଼ା ହେଲେ ? ଗତ ସରପଞ୍ଚ ଓ ସମିତି ସଭ୍ୟଙ୍କ କାର୍ଯ୍ୟକଳାପ ସମ୍ପର୍କରେ କୁହନ୍ତୁ । ମୁଣ୍ଡେରକ୍ଷେତ ପଞ୍ଚାୟତ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ର ଲାଭ ପାଉଛି କି ? ଯଦି ହଁ, ତେବେ ସେଥି ମଧ୍ୟରୁ ୧୦ ଟି ଯୋଜନା ଉଲ୍ଲେଖ କରନ୍ତୁ । ପ୍ରାର୍ଥୀମାନେ ଏ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ।

ପ୍ରାର୍ଥୀମାନେ ଦେଇଥିବା ଉତ୍ତର କୁ ସମସ୍ତଙ୍କ ସାମ୍ନାରେ ପାଠ କରାଯାଇଥିଲା । କେବଳ ସେତିକି ନୁହେଁ, ଉତ୍ତର ଖାତା ର କପି ଚାହିଁଲେ ଯେକେହି ଯେପରି ନେଇ ପାରିବେ ତା’ର ମଧ୍ୟ ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଜନମଞ୍ଚରେ ପ୍ରାର୍ଥୀଙ୍କ ମୌଖିକ ଉତ୍ତର ସାଙ୍ଗକୁ ଲିଖିତ ପରୀକ୍ଷା ର ଉତ୍ତର କୁ ବିଚାର କୁ ନେଇ ଲୋକେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବେ ବୋଲି ଚର୍ଚ୍ଚା ହେଉଛି ।

ଏବେ ବିଭିନ୍ନ ଗାଁ ଗଣ୍ଡାରେ ଭୋଟର ଙ୍କୁ ଆକୃଷ୍ଟ କରିବା କୁ ପ୍ରାର୍ଥୀମାନେ ମଦ ମାଂସ ସହିତ ନୋଟ୍ ଦିଆଯାଉଥିବା ଭଳି ଖବର ଆସୁଥିବା ବେଳେ ମୁଣ୍ଡେରକ୍ଷେତ ପଞ୍ଚାୟତ ଲୋକେ ଦକ୍ଷ ପ୍ରାର୍ଥୀ ଚୟନ ପାଇଁ କରିଥିବା ଏହି ପ୍ରକ୍ରିୟା ପ୍ରଶଂସନୀୟ ବୋଲି ଆଲୋଚନା ହେଉଛି । ଭୋଟର ଙ୍କ ଏ ପ୍ରକାର ସଚେତନତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ଚର୍ଚ୍ଚା ହେଉଛି ।