ବାପି ଲାହିରି ଙ୍କ ପରଲୋକ

0
186
ବାପି ଲାହିରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ 
ମୁମ୍ବାଇ, (୧୬/୦୨) : ଆଜି ବଲିଉଡ୍‌ କୁ ଲାଗିଛି ପୁଣି ଏକ ଶକ୍ତ ଝଟକା । କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ବାପି ଲାହିରି ଙ୍କ ପରଲୋକ ଖବର ଆସିଛି ।

ଆଖି ବୁଜିଛନ୍ତି ବଲିଉଡ ର ଡିସ୍କୋ କିଙ୍ଗ୍‌ ଭାବେ ପରିଚିତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସମସ୍ତଙ୍କ ପ୍ରିୟ ବାପି ଦା’ । ଅସୁସ୍ଥତା ହେତୁ ଗତ କିଛି ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଗତ ସୋମବାର ଘରକୁ ଫେରିଥିଲେ । କିନ୍ତୁ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା ।

ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଶରାବୀ’ ଓ ‘ନମକ ହଲାଲ’ ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’ । ଶେଷ ଥର ପାଇଁ ବିଗ୍‌ ବସ୍‌-୧୫ ରେ ସଲଖାନ ଖାଁଙ୍କ ସହ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ ।

ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି । ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗ ର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ । ତାଙ୍କ ବାପା ମାଁ’ ମଧ୍ୟ ଗାୟକ ଥିଲେ । ତିନି ବର୍ଷ ବୟସ ରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ । ପ୍ରାରମ୍ଭରେ ତାଙ୍କ ବାପା ମାଁ’ ଥିଲେ ତାଙ୍କର ସଙ୍ଗୀତ ଗୁରୁ ।

ଭାରତୀୟ ସିନେମାରେ ଡିସ୍କୋ ଗୀତ କୁ ସେ ଲୋକପ୍ରିୟ କରାଇଥିଲେ । ‘ଜଖ୍‌ମୀ’, ‘ଆପ୍ କି ଖାତିର’, ‘ହିମତ୍‌ୱାଲା’, ‘ଘାୟଲ’, ‘ଆଜ୍ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍‌ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ । ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ହିନ୍ଦୀ ଫିଲ୍ମ ସଙ୍ଗୀତରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିବା ବାପି ଦା’ଙ୍କର ସୁନା ଅଳଙ୍କାର ପ୍ରତି ଥିଲା ବିଶେଷ ଆଗ୍ରହ । ତାଙ୍କ ବେକରେ ସବୁ ବେଳେ ପଡ଼ିଥାଏ ଏକାଧିକ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ସୁନା ଚେନ୍‌ । ହାତରେ ଏକାଧିକ ସୁନା ମୁଦି ମଧ୍ୟ ସେ ପିନ୍ଧୁଥିଲେ । ୨୦୧୪ ରେ ବାପି ଦା’ ରାଜନୀତିରେ ବି ପାଦ ଥାପି ଥିଲେ । ସେ ବିଜେପି ଟିକେଟ୍‌ରେ ଶ୍ରେରମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କଲ୍ୟାଣ ବାନାର୍ଜୀଙ୍କ ଠାରୁ ସେ ପରାସ୍ତ ହୋଇଯାଇଥିଲେ ।

୧୯୮୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶରାବି’ ପାଇଁ ବାପି ଦା’ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୮ ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା ।

ହସ ହସ ମୁହଁ ଓ ସୁନା ର ଆଭୂଷଣ ବାପି ଦା’ଙ୍କୁ ସବୁବେଳେ ଅନ୍ୟମାନଙ୍କ ଠାରୁ ଅଲଗା କରୁଥିଲା । ହେଲେ ଏବେ ଆଉ ଦେଖିବାକୁ ମିଳିବନି ସେହି ହସ ହସ ମୁହଁ । ତାଙ୍କ ପରଲୋକ ଖବର ପାଇବା ପରେ ବଲିଉଡ୍‌ ସହିତ ଜଡ଼ିତ ଅନେକ ବ୍ୟକ୍ତି ବିଶେଷ ସୋଶାଲ୍ ମିଡ଼ିଆ ଯୋଗେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।