ଖବର କାଗଜ ବିତରକ ଭୋଳାନାଥ ଶର୍ମାଙ୍କୁ ନୂଆଁ ସାଇକେଲ ପ୍ରଦାନ

0
173
ଖବର କାଗଜ ବିତରକ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୨୭/୦୨) : ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ମଧ୍ୟରେ ବଡ଼ କଦମ୍ବ ଗଛ ମୂଳରେ ବସି ଆଜିକୁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ଖବର କାଗଜ ବିକୁଥାନ୍ତି ଖବର କାଗଜ ବିତରକ ଭୋଳାନାଥ ଶର୍ମା । ବର୍ଷ ର ସବୁ ଋତୁ ସତେ ଯେପରି ହାର ମାନିଛି ଭୋଳାନାଥଙ୍କ ପାଖରେ ।

ସକାଳ ୪.୩୦ ଘଟିକା ସମୟରେ ବସଷ୍ଟାଣ୍ଡ ମଧ୍ୟରେ ପହଞ୍ଚି ବିଭିନ୍ନ ଗାଡିରୁ ଦୈନିକ ଖବର କାଗଜ ସଂଗ୍ରହ କରି ବିଭିନ୍ନ ଜାଗା ମାନଙ୍କୁ ପେପର ପଠାଇଥାନ୍ତି । ଭୋଳାନାଥ ତାଙ୍କ ଜେଜେଙ୍କ ନାମାନୁସାରେ “ଭୋମରାଜ ଏଜେନ୍ସି” ଖୋଲି ରାଇରଙ୍ଗପୁରରେ ଅନେକ “ହକର” (ଖବର କାଗଜ ବିତରକ) ସୃଷ୍ଟି କରି ସେମାନଙ୍କୁ ଜୀବିକା ଯୋଗାଇ ଦେଇଛନ୍ତି ।

ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଭୋଳାନାଥ ଦାରିଦ୍ର୍ୟ ହେତୁ ପାଠ ପଢି ପାରି ନଥିଲେ । ସେତେବେଳୁ ପେପର ହକର ଭାବେ ଗୋଦାବରୀଶଙ୍କ “ନିଆଁ ଖୁଣ୍ଟା” ଖବର କାଗଜରେ ‘ଦୁଇ ଅଣା’ ପଇସାରୁ ପାରିଶ୍ରମିକ ଆରମ୍ଭ କରିଥିଲେ, ଯାହାକି ୭୪ ବର୍ଷ ବୟସରେ ଉପନୀତ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ହକର କାର୍ଯ୍ୟ ତୁଲାଉଛନ୍ତି ।

ଏହି ଖବର ବିଭିନ୍ନ ଖବର କାଗଜରେ ପ୍ରସାରିତ ହେବା ପରେ ରାଇରଙ୍ଗପୁରର ଯୁବ ସମାଜସେବୀ ଶ୍ରୀଯୁକ୍ତ ଦୀପ୍ତିମାନ ବଳଙ୍କ ହୃଦୟ ହାର ମାନିଯାଇଥିଲା ଭୋଳାନାଥଙ୍କ କାର୍ଯ୍ୟଦକ୍ଷତାକୁ ନେଇ, ଯାହାକି ଫଳ ସ୍ୱରୂପ ଭୋଳାନାଥଙ୍କୁ ଗୋଟିଏ ନୂଆଁ ସାଇକେଲ ପ୍ରଦାନ କରି ତାଙ୍କର ଅଦମ୍ୟ ସାହାସିକ କାର୍ଯ୍ୟ ଦକ୍ଷତାକୁ ଢେର ପ୍ରଶଂସା କରିଥିଲେ । ଏହା ସହିତ ସମସ୍ତ ପେପେର ବିତରକ ମାନଙ୍କୁ ସୁନ୍ଦର ଟିଫିନ୍ ସେଟ୍ ଓ ମଗ୍ ଶ୍ରୀଯୁକ୍ତ ବଳ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।

ଏଥିରେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ସାମ୍ବାଦିକ ଦୀପକ କୁମାର ବେହେରା, ମେଘନାଦ ସାହା, ଶ୍ୟାମଳେନ୍ଦୁ ପରିଡ଼ା, ଉତ୍ତମ ରାମ, ବିତରକ ବୀରେନ୍ଦ୍ର ସିଂ (ବଲ୍ୟୁ), ରତିକାନ୍ତ ବେହେରା, ଜ୍ୟୋତିଶ ବାରିକ, ଦୈତାରୀ ମହାନ୍ତ, ଡି.ସି.ଏମ୍, ବିକାଶ କୁମାର ଶର୍ମା, ପ୍ରକାଶ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବୟୋଜ୍ୟେଷ୍ଟ ଭୋଳାନାଥ ଶ୍ରୀଯୁକ୍ତ ଦୀପ୍ତିମାନ ବଳଙ୍କୁ ଧନ୍ୟବାଦ ପ୍ରଦାନ ସହିତ ସମସ୍ତ ପେପର ବିତରକମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।