ଦେଶର ସମସ୍ତ ଥାନାରେ ଲାଗିବ ସିସିଟିଭି କ୍ୟାମେରା : ଗୃହ ମନ୍ତ୍ରଣାଳୟ ର ସୂଚନା

0
189

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୯/୦୭) : ଦେଶର ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ସୂଚନା ଦେଇଛନ୍ତି ।

ଏକ ଲିଖିତ ଉତ୍ତରରେ ଶ୍ରୀ ରାୟ କହିଛନ୍ତି ଯେ ଗତବର୍ଷ ଡିସେମ୍ବର ୨ ତାରିଖର ଏକ ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ଦେଶର ସମସ୍ତ ଥାନା ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଫିସ୍ ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ କହିଥିଲେ ।

ଚଳିତ ବର୍ଷ ଏପ୍ରିଲ୍ ୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଅନ୍ତିମ ଶୁଣାଣି ବେଳେ ଏକମାସ ମଧ୍ୟରେ ସମସ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବଜେଟ୍ ଆବଣ୍ଟନ କରିବା ସହ ଏହାର ୬ ମାସ ମଧ୍ୟରେ ନିର୍ଦ୍ଦେଶର କାର୍ୟ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଏପ୍ରିଲ୍ ୧୩ ତାରିଖରେ ବଜେଟ୍ ଅର୍ଥ ଆବଣ୍ଟନ ଏବଂ ସିସିଟିଭି କ୍ୟାମେରା ଇନ୍ଷ୍ଟଲେସନ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅନୁରୋଧ କରିଥିଲେ ।

ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହାର କାର୍ୟ୍ୟାନ୍ୱୟନ ଶେଷ କରିଥିବା ବେଳେ ଥାନାରେ ସିସିଟିଭି କ୍ୟାମେରା ଇନ୍ଷ୍ଟଲେସନ ସମ୍ପର୍କୀତ ଷ୍ଟାଟସ୍ ରିପୋର୍ଟ ସିଧା ଶୀର୍ଷ କୋର୍ଟଙ୍କୁ ପ୍ରଦାନ କରିସାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଥିଲେ ।