ହିଜାବ ନିଷେଧ ବିବାଦ ଶୁଣାଣି ପାଇଁ ଉଡୁପିରେ ୧୪୪ ଧାରା ଲାଗୁ, ସ୍କୁଲ-କଲେଜ ବନ୍ଦ

0
142
ହିଜାବ ନିଷେଧ ବିବାଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କର୍ଣ୍ଣାଟକ, (୧୫/୦୩) : କର୍ଣ୍ଣାଟକରେ ହିଜାବ ନିଷେଧ ବିବାଦ ସମ୍ପର୍କରେ ଆଜି ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ । ଏ ବିବାଦୀୟ ତଥା ଗୁରୁତ୍ୱପୂର୍ଣ୍ଣ ମାମଲାରେ ହାଇକୋର୍ଟ ଙ୍କ ରାୟ ଆସିବା ପୂର୍ବରୁ ବେଙ୍ଗାଳୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।

ହିଜାବ ନିଷେଧ ବିବାଦ ଶୁଣାଣି ପାଇଁ ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାରେ ଗତକାଲି ରାତି ୮ ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।

ସେପଟେ ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ବେଙ୍ଗାଳୁରୁ ପୁଲିସ ସୋମବାର ଦିନ ନିଷିଦ୍ଧାଦେଶ ଜାରି କରିଛନ୍ତି । ୧୫ ରୁ ୨୧ ମାର୍ଚ୍ଚ ଯାଏଁ ବହୁ ଲୋକେ କୌଣସି ବି ସାର୍ବଜନୀନ ସ୍ଥାନରେ ଏକାଠି ହେବା ଉପରେ କଟକଣା ଲାଗୁ ହୋଇଛି । ସଭା, ସମାରୋହ, ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି । ଆଗାମୀ ୭ ଦିନ ପାଇଁ ଏହି କଟକଣା ଜାରି କରିଛି ବେଙ୍ଗାଳୁରୁ ପୁଲିସ ।

ଉଡୁପି ର ଏକ ସ୍କୁଲ ର କିଛି ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ୍ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ମାମଲାରେ ଦାଏର କରିଥିଲେ । ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପୀଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।