ଧ୍ୱଂସ ସ୍ତୁପରୁ ୟୁକ୍ରେନ୍‌ ପୁଣି ମୁଣ୍ଡ ଟେକି ଦଣ୍ଡାୟମାନ ହେବ : ଜେଲେନସ୍କି

0
146
ଧ୍ୱଂସ ସ୍ତୁପରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୩) : ୟୁକ୍ରେନ୍‌ ଉପରେ ରୁଷ ଧ୍ୱଂସର ତାଣ୍ଡବଲୀଳା ରଚିଥିଲେ ମଧ୍ୟ ଦମ୍ଭ ହରାଇ ନାହାଁନ୍ତି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଧ୍ୱଂସ ସ୍ତୁପରୁ ୟୁକ୍ରେନ୍‌ ପୁଣି ମୁଣ୍ଡ ଟେକି ଦଣ୍ଡାୟମାନ ହେବ । ସେ କଦାପି ଭାଙ୍ଗି ପଡ଼ିବେ ନାହିଁ ବରଂ ଲଢ଼େଇ ଜାରି ରଖିବେ ।

ୟୁକ୍ରେନକୁ ବିପୁଳ ସମର୍ଥନ ପାଇଁ ସେ ନିବେଦନ କରିବା ସହ ରୁଷ ଉପରେ ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି । ଆଜି ଜେଲେନସ୍କି ଜର୍ମାନୀ ସଂସଦକୁ ସମ୍ବୋଧନ କରିବେ । ୟୁକ୍ରେନ ପାଇଁ ଅଧିକ ସାହାଯ୍ୟ ସମର୍ଥନ ପାଇଁ ମୁଁ ଲଢ଼େଇ ଜାରି ରଖିବି, ଧ୍ୱଂସ ସ୍ତୁପରୁ ଆମେ ପୁରୀ ଉଠିବୁ ବୋଲି କହିଛନ୍ତି । ୟୁକ୍ରେନ ର ବିଜୟ ଏବଂ ଶାନ୍ତି ପାଇଁ ଅଭିଯାନ ଜାରି ରଖିବି ବୋଲି ଜେଲେନସ୍କି କହିଛନ୍ତି ।

ସେହିପରି ଯୁଦ୍ଧ ସରିବା ପରେ ୟୁକ୍ରେନ୍‌ରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଖୁବଶୀଘ୍ର ୟୁକ୍ରେନ ନବ ନିର୍ମାଣ ହୋଇ ପୂର୍ବଭଳି ଏହାକୁ ଦଣ୍ଡାୟମାନ କରିବାରେ ଆମେ ସମର୍ଥ ହେବା ବୋଲି ମୋର ଆତ୍ମ ବିଶ୍ୱାସ ଥିବା ସେ କହିଛନ୍ତି । ସେପଟେ ୟୁକ୍ରେନ୍ ଉପରେ ରୁଷ ର ଆକ୍ରମଣକୁ ନେଇ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ବଡ଼ ରାୟ ଦେଇଛନ୍ତି । ୟୁକ୍ରେନରେ ରୁଷ ତୁରନ୍ତ ଆମ୍ରମଣ ବନ୍ଦ କରୁ ବୋଲି ନିର୍ଦ୍ଦେଶ ଦେଇଛି ଆଇସିଜେ ।

କୋର୍ଟର ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି ଆଇସିଜେ କହିଛି । ସେହିଭଳି ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ଆଇସିଜେ କହିଛି । ଆଇସିଜେ ଶୁଣାଣି ବେଳେ ୧୫ ଟି ଦେଶ ର ବିଚାରପତି ଭାଗ ନେଇଥିଲେ । ତେବେ ରାୟ ସପକ୍ଷରେ ୧୩ ଟି ମତ ଆସିଥିବା ବେଳେ କେବଳ ରୁଷ ଓ ଚୀନ୍ ରାୟ ବିପକ୍ଷରେ ମତ ଦେଇଥିଲେ । ଭାରତ ପକ୍ଷରୁ ଦଲବୀର ଭଣ୍ଡାରୀ ଏହି ଶୁଣାଣିରେ ସାମିଲ ହୋଇଥିଲେ । ଭାରତ ରାୟ ସପକ୍ଷରେ ମତ ଦେଇଥିବା ଜଣା ପଡ଼ିଛି ।

ଗତ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ରୁଷ । ତେବେ ଏହାକୁ ବିରୋଧ କରି ୟୁକ୍ରେନ୍ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ରୁଷ ଆକ୍ରମଣକୁ ପୂର୍ବ ପରିକଳ୍ପିତ ଗଣହତ୍ୟା ଯୋଜନା ବୋଲି କହି ଏହାକୁ ବନ୍ଦ କରିବାକୁ ଆଇସିଜେ ର ଆବେଦନ କରିଥିଲା ୟୁକ୍ରେନ୍ । ତେବେ ଏହି ରାୟ ପରେ ୟୁକ୍ରେନର ଏହା ବଡ଼ ବିଜୟ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ।