ରୁଷ ର ଅଲ୍ଟିମେଟମ୍‌କୁ ଏଡ଼ାଇ ‘ଛାଡ଼ିବୁନି ମାରିୟୁପୁଲ’ କହିଲା ୟୁକ୍ରେନ

0
177
ରୁଷ ର ଅଲ୍ଟିମେଟମ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କିଭ୍‌/ନୂଆଦିଲ୍ଲୀ, (୨୧/୦୩) : ରୁଷ ର ଅଲ୍ଟିମେଟମ୍‌କୁ ଏଡ଼ାଇ ଦେଲା ୟୁକ୍ରେନ । ଆକ୍ରମଣ ର ୨୬ ଦିନରେ ବି ରୁଷ ଆକ୍ରମଣ ର କଡ଼ା ଜବାବ ଦେଉଛି ୟୁକ୍ରେନ । ରୁଷ ଆଖି ଏବେ ୟୁକ୍ରେନ ର ମାରିୟୁପୁଲ ଉପରେ ଥିବା ବେଳେ ଏହାକୁ ସହଜେ ହାତଛଡ଼ା କରିବା ମୁଡରେ ନାହିଁ ୟୁକ୍ରେନ ।

ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଯୋଡ଼ୁଥିବା ଏହି ସହରକୁ ହାସଲ କରିବା ରୁଷ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆତ୍ମସମର୍ପଣ ର ପ୍ରଶ୍ନ ଉଠୁନି ଓ ରୁଷ ର ଅଲ୍ଟିମେଟମ୍‌କୁ ଏଡ଼ାଇ ‘ଛାଡ଼ିବୁନି ମାରିୟୁପୁଲ’ ବୋଲି କହିଛନ୍ତି ୟୁକ୍ରେନ ର ଉପ ପ୍ରଧାନମନ୍ତ୍ରୀ । ମାରିୟୁପୁଲରେ ଏବେ ବି ୪ ଲକ୍ଷ ଲୋକ ଫସି ରହିଥିବା ବେଳେ ଏହାକୁ ୪ ପଟୁ ଘେରି ପ୍ରବଳ ଗୋଳିଗୋଳା ଫୁଟାଇବା ସହ ବଡ଼ ବଡ଼ ବିଲ୍ଡିଂକୁ ରକେଟ ମାଡ଼ କରୁଛି ରୁଷ । ତେଣୁ ମାରିୟୁପୁଲରେ ଖାଦ୍ୟ, ପାଣି ଆଦି ସରି ଆସୁଥିବା ବେଳେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ସମଗ୍ର ବିଶ୍ୱକୁ ଚେତାଇ ଦେଇଛି ରୁଷ ।

ଏହି ସହରରେ ଯେଉଁମାନେ ଅସ୍ତ୍ର ସହ ସମର୍ପଣ କରିବେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଯିବାକୁ ସୁଯୋଗ ଦିଆଯିବ ବୋଲି ପ୍ରସ୍ତାବ ଦେଇଛି ରୁଷ । ହେଲେ ରୁଷ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ । ରୁଷ ସେନା ସହ କୌଣସି ଆଲୋଚନା ହେବନି ବୋଲି ସେ କହିଛନ୍ତି ।

ୟୁକ୍ରେନର ପ୍ରତ୍ୟାଖ୍ୟାନ ପରେ ରୁଷ ପକ୍ଷରୁ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି । ମାରିୟୁପୁଲ ଉପରେ ପ୍ରବଳ ବୋମାମାଡ଼ ହେଉଥିବା ସୂଚନା ମିଳିଛି । ଫେବୃୟାରୀ ୨୪ ପରେ ଏବେ ମାରିୟାପୁଲ ଉପରେ ସବୁଠୁ ବଡ଼ ହାମଲା ବୋଲି କୁହାଯାଉଛି । ରୁଷ ର ବୋମାମାଡ଼ ଯୋଗୁ ମାରିୟୁପୁଲ ର ୮୦% କୋଠା ମାଟିରେ ମିଶି ସାରିଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରର ବଡ଼ ବଡ଼ ବ୍ରିଜ୍ ଉପରେ ରକେଟ୍ ମାଡ଼ କରିଛି ରୁଷ୍ ଏହାସହ ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍ । ଏପରି ଆତଙ୍କବାଦୀ ହାମଲାକୁ ଆଗାମୀ ପିଢ଼ି ବି ମନେ ରଖିବେ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଦୀର୍ଘ ୨୬ ଦିନ ହେବ ଏହି ଯୁଦ୍ଧ ଚାଲିଥିବା ବେଳେ ଏଥିରେ ୟୁକ୍ରେନର ହଜାର ହଜାର ସାଧାରଣ ଲୋକଙ୍କ ସମେତ ରୁଷର ୧୩ ହଜାରରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ରୁଷ ର ବହୁ ତୋପ, ବିମାନ ତଥା ଟ୍ୟାଙ୍କକୁ ନଷ୍ଟ କରାଯାଇଥିବା ୟୁକ୍ରେନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ରୁଷର ପ୍ରବଳ ଆକ୍ରମଣ ଯୋଗୁ ୟୁକ୍ରେନ ଧ୍ୱସଂସ୍ତୁପରେ ପରିଣତ ହେଉଥିବା ବେଳେ ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ହେଲେ ଏହା ବିଫଳ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି ଚେତାଇ ଦେଇଛନ୍ତି ଜେଲେନସ୍କି । ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବହୁ ଥର ଆଲୋଚନା ହୋଇଥିବା ବେଳେ ୟୁଦ୍ଧ ବନ୍ଦର ବାଟ ଫିଟିପାରି ନାହିଁ ।

ରୁଷ୍ ଓ ୟୁକ୍ରେନର ଯୁଦ୍ଧ ଭିତରେ ଆସନ୍ତା ୨୫ ତାରିଖରେ ପୋଲାଣ୍ଡ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରିବା ନେଇ ପୋଲାଣ୍ଡ ସହ ଆଲୋଚନା କରିବେ ବାଇଡେନ୍ । ସହଯୋଗୀ ରାଷ୍ଟ୍ରଙ୍କ ସହ ମିଶି ସହାୟତା ପହଞ୍ଚାଇବା ନେଇ ଆଲୋଚନା କରିବେ ।