ଶହୀଦ ଦିବସ ରେ ଦେଶ ମନେପକାଉଛି ସେହି ବୀର ପୁରୁଷଙ୍କୁ

0
137
ଶହୀଦ ଦିବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁୁବନେଶ୍ୱର, (୨୩/୦୩) : ଆଜି ଶହୀଦ ଦିବସ । ଦେଶ ମନେପକାଉଛି ସେହି ବୀର ପୁରୁଷଙ୍କୁ । ଭାରତ ର ସ୍ୱାଧୀନତା ଅନ୍ଦୋଳନ ଇତିହାସରେ ମାର୍ଚ୍ଚ ୨୩ ଏକ ସ୍ମରଣୀୟ ଦିବସ ।WhatsApp Image 2022 03 23 at 11.16.41 AM 1 ଶହୀଦ ଦିବସ ରେ ଦେଶ ମନେପକାଉଛି ସେହି ବୀର ପୁରୁଷଙ୍କୁ

ଭାରତ ମାତା ର ବୀର ସୁପୁତ୍ର କ୍ରାନ୍ତିକାରୀ ଶହିଦ-ଏ-ଆଜମ୍‌ ଭଗତ ସିଂହ, ଶିବରାମ ରାଜଗୁରୁ ଏବଂ ସୁଖଦେବ ୧୯୩୧ ମସିହା ଆଜିର ଦିନରେ ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ । ଆଉ ତାଙ୍କରି ସ୍ମୃତିରେ ଆଜିର ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ । ୧୯୩୧ ମାର୍ଚ୍ଚ ୨୩ ତାରିଖରେ ଭାରତ ମାତା ର ଏହି ବୀରପୁତ୍ରଙ୍କୁ ବ୍ରିଟିଶ ସରକାର ଫାଶୀ ଦେଇଥିଲେ ।

ଲାହୋର ଷଡଯନ୍ତ୍ର ଅଭିଯୋଗରେ ତାଙ୍କୁ ଫାଶୀ ଦିଆଯାଇଥିଲା । ତେବେ ଫାଶୀ ତାରିଖ ୨୪ ମାର୍ଚ୍ଚ ୧୯୩୧ରେ ହେବାକୁ ଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୩ ମାର୍ଚ୍ଚରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା । ବାସ୍ତବରେ, ଏହି ତିନି ବରପୁତ୍ରଙ୍କ ଫାଶୀ ଖବରକୁ ନେଇ ଦେଶର ଅପ୍ରତିକର ପରିସ୍ଥିତି ଦେଖା ଯାଇଥିଲା । ଚାରିଆଡେ ଇଂରେଜ ସରକାରଙ୍କ ବିରୋଧରେ ଅସନ୍ତୋଷ ର ବହ୍ନି ଜଳିଥିଲା । ସମସ୍ତ ଦେଶବାସୀ ଏହି ତିନିଜଣଙ୍କୁ ଦେଖା କରିବାକୁ ଚାହିଁଥିଲେ ।

ଏସବୁ ଦେଖି କାଳେ ପରିସ୍ଥିତି ବିଗିଡ଼ିଯିବ ସେଥିପାଇଁ ଇଂରେଜମାନେ ଫାଶୀ ର ତାରିଖରେ ପରିବର୍ତ୍ତନ କରିଥିଲେ । ଏହି ତିନି ମହାନ ଆତ୍ମାଙ୍କୁ ଗୋଟିଏ ଦିନ ପୂର୍ବରୁ ଫାଶୀ ଦିଆ ଯାଇଥିଲା । ଭଗତ ସିଂ ଏବଂ ବଟୁକେଶ୍ୱର ୮ ଏପ୍ରିଲ ୧୯୨୯ ରେ କେନ୍ଦ୍ରୀୟ ସଭାରେ ବୋମା ପକାଇ ଥିଲେ । ଏ ନେଇ ଦୁହେଁ ସେଠାରେ ଗିରଫ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରାୟ ଦୁଇ ବର୍ଷ ଜେଲରେ ରଖାଯାଇଥିଲା ଏବଂ ପରେ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦିଆ ଯାଇଥିଲା । ଆଜି ସାରା ଦେଶ ଏହି ମହାନ ଆତ୍ମାଙ୍କ ବଳିଦାନକୁ ଶହୀଦ ଦିବସ ବାବରେ ପାଳନ କରୁଛି ।

ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ‘ମେରା ରଙ୍ଗ ଦେ ବାସନ୍ତୀ ଚୋଲା, ମେରା ରଙ୍ଗଦେ’ ଗୀତ ଗାଇଥିଲେ । ଫାଶୀ ଖୁଣ୍ଟରେ ଝୁଲିବା ସମୟରେ ଭଗତସିଂହ, ସୁଖଦେବଙ୍କ ବୟସ ମାତ୍ର ୨୩ ବର୍ଷ ହୋଇଥିବା ବେଳେ ରାଜଗୁରୁ ମାତ୍ର ୨୨ ବର୍ଷ ର ଥିଲେ । ଏତେ କମ୍ ବୟସରେ ମଧ୍ୟ ଏହି ତିନି ବିପ୍ଲବୀ ଦେଶ ମାତୃକା ପାଇଁ ହସି ହସି ପ୍ରାଣବଳି ଦେଇଥିଲେ । ଲାହୋର ର ପଞ୍ଜାବ ଠାରେ ଏହି ୩ ଜଣଙ୍କୁ ଫାଶୀ ଦିଆ ଯାଇଥିଲା । ଯୁବକ ଅବସ୍ଥାରୁ ନିର୍ଭୀକତା ର ପରିଚୟ ଦେଇଥିଲେ ଏହି ତିନି ଜଣ ମହାନ୍ ବିପ୍ଳବୀ । ଏହି ତିନି ଜଣ ଶହୀଦ ଆଜିର ଯୁବପିଢିଙ୍କ ପାଇଁ ଏକ ପ୍ରେରଣା ।