ପ୍ରଧାନ ଶିକ୍ଷକ ବୋଲି ପରିଚୟ ଦେଇ ବିବାହ ହେଉଥିବା ବେଳେ ବାହା ବେଦିରୁ ଗିରଫ

0
160
ପ୍ରଧାନ ଶିକ୍ଷକ ବୋଲି

ରିପୋର୍ଟ : ସନ୍ତୋଷ ନାୟକ //
କଣ୍ଟାବାଞ୍ଜି, (୨୩/୦୩) : ଜଣେ ଯୁବକ ନିଜକୁ ପ୍ରଧାନ ଶିକ୍ଷକ ବୋଲି ପରିଚୟ ଦେଇ ବିବାହ ହେଉଥିବା ବେଳେ ବାହା ବେଦିରୁ ଗିରଫ ହେବା ଘଟଣା ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ତାଙ୍କ ନିକଟରୁ ନକଲି ସୁନା ଗହଣା ଓ ନକଲି ଶିକ୍ଷକ ଆଇଡି କାର୍ଡ ଜବତ କରିଛି । ଯୁବକ ଜଣକ ପୁଲିସକୁ ତାଙ୍କ ନାଁ ଲକ୍ଷ୍ମୀକାନ୍ତ ତ୍ରିପାଠୀ ବୋଲି କହିଛି । କିନ୍ତୁ ଆଧାର କାର୍ଡରେ ଲକ୍ଷ୍ମୀକାନ୍ତ ତିୱାରୀ ରହିଛି । ତେବେ ସେ ଝିଅ ଘରକୁ ତା ନାଁ ପ୍ରକାଶ ସାହୁ ବୋଲି କହିଥିବା ଜଣା ଯାଇଛି । ସୂଚନା ଅନୁସାରେ, ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ଖଗସା ପଞ୍ଚାୟତ ର ସାଲେପଡା ଗାଁ ର ଜଣେ ୪୩ ବର୍ଷୀୟ ଯୁବକ ନିଜକୁ ଏକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବୋଲି ଗତ ୩ ବର୍ଷ କାଳ କଣ୍ଟାବାଞ୍ଜି ଥାନା ଅଞ୍ଚଳ ର ଚାଉଳସୁଖା ଗ୍ରାମ ର ଜଣେ ଝିଅକୁ ବିବାହ ର ପ୍ରସ୍ତାବ ଦେଇ ତାଙ୍କ ଘର ସହିତ ସଂପର୍କ ରଖି ଆସିଥିଲେ ।

 ସେ କଳାହାଣ୍ଡି ଜିଲ୍ଲା କୋକସରାର ବେହେରା ଗାଁ ବୋଲି କହିଥିଲେ । ପରେ ସଂପୃକ୍ତ ଯୁବକ ଜଣକ ଝିଅ ଘରର ଲୋକଙ୍କୁ ନେଇ ବେହେରା ଗାଁରେ ପହଞ୍ଚି ଜଣେ ବ୍ୟକ୍ତିଙ୍କ କୋଠା ଘରକୁ ମୋ’ ଘର ବୋଲି କହି ସେଠାରେ ଖାଇବା ଦେବା ସହ ସେଠାରେ ମଧ୍ୟ ଝିଅ ର ଘର ଲୋକଙ୍କୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ । ପରେ ଝିଅ ଘର ଲୋକ ବିବାହ ପ୍ରସ୍ତାବ ପାଇଁ ରାଜି ହୋଇଥିଲେ । ପୁଅ ଓ ଝିଅ ଘର ମଧ୍ୟରେ ବାହାଘର ପାଇଁ ଯାନି ଯୌତୁକ କଥାବାର୍ତ୍ତା ମଧ୍ୟ ଛିଣ୍ଡି ଥିଲା । ସୋମବାର ବିବାହ ପାଇଁ ଦିନ ଧାର୍ଯ୍ୟ ‌ହୋଇଥିଲା ।

ବର ର କଥା ଅନୁସାରେ ଝିଅ ଘର ଲୋକ ୧୫୦ ଜଣ ବରଯାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ । ଯୁବକ ଜଣକ ବରବେଶରେ ସଜାଇ ହୋଇ ୪ ଜଣ ବାଜାବାଲାଙ୍କୁ ଧରି ଏକ ସୁସଜ୍ଜିତ କାର୍‌ରେ ସୋମବାର ରାତିରେ ଚାଉଳଶୁଖା ଗାଁକୁ ପହଞ୍ଚି ଥିଲେ । ବାଜାବାଲାଙ୍କ ବ୍ୟତୀତ ଆଉ କେହି ଲୋକ ଆସି ନଥିବାରୁ ଝିଅ ଘର ଲୋକେ ସନ୍ଦେହ କରିଥିଲେ । ତେବେ କୌଣସି କାରଣରୁ ବାପା ଓ ସମ୍ପର୍କୀୟ ଆସି ନଥିବା ଓ ତୁରନ୍ତ ବିବାହ କାର୍ଯ୍ୟ ସାରିବାକୁ ଯୁବକ ଜଣକ କହିଥିଲେ ।

ତେବେ ଝିଅ ଘର ଲୋକ ସୁନା ଗହଣା କଥା କହିବାରୁ ସେ ୬ ଭରି ଅଳଙ୍କାର ଆଣିଥିବା କହି ବାହାରି କରିଥିଲେ । ତେବେ ସେସବୁ ନକଲି ଥିବା ଝିଅର ଘର ଜାଣିବାକୁ ପାଇଥିଲେ । ଯୁବକ ଜଣକ ଠକ ବୋଲି ସନ୍ଦେହ ହୋଇଥିଲା । ଏହାକୁ ନେଇ ଚାଉଳସୁଖା ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ଯୁବକଙ୍କୁ କାବୁ କରି ଏକ କୋଠରିରେ ବନ୍ଦ କରି କଣ୍ଟାବାଞ୍ଜି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଥିଲା । ଯୁବକ ଜଣକ ‌ପୂର୍ବରୁ ଝିଅ ର ମା’ ଠାରୁ ୧୫ ହଜାର ଟଙ୍କା ମଧ୍ୟ ଠକି ନେଇଥିବା ଜଣା ପଡ଼ିଛି ।