ଶଗଡା ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

0
131
ଶଗଡା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୦୪) : ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।

ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରେ ଏବଂ ଉକ୍ତ ସି ଏଚ ସି ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଶଗଡା ଠାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କଣ୍ଟାମାଲ ବିଧାୟକ ମହିଧର ରଣା ନଡ଼ିଆ ବାଡେଇ ଓ ଫିତା କାଟି ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଙ୍କ ନେତୃତ୍ୱ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରଦୋଷ କୁମାର ମହାପାତ୍ର ଏବଂ ସି ଏଚ ସି ର ଅନ୍ୟ ଅଧିକାରୀ ଙ୍କ ସହଯୋଗ ରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ମେଳାରେ ମୋଟ ୧୪ ଟି ସ୍ୱାସ୍ଥ୍ୟ ଷ୍ଟଲ କରାଯାଇଥିଲା ଏବଂ ୧୦ ଜଣ ବିଭିନ୍ନ ବିଭାଗ ର ବିଶେଷଜ୍ଞ ଡାକ୍ତର ଙ୍କ ସମେତ ଆହୁରି ଅନେକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ ପ୍ରଭୃତି ଏହି ମେଳାରେ ନିୟୋଜିତ ହୋଇ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରିଥିଲେ ଏବଂ ମାଗଣାରେ ସମସ୍ତଙ୍କୁ ଔଷଧ ପ୍ରଦାନ କରାଯାଇଥିଲା ।

ଶଗଡା ପଞ୍ଚାୟତ ସମେତ ଗୁନ୍ଦୁଲିଆ, ଗୋଛାପଡା, ବରଗୋଛା ଓ ଆହୁରି ଅନେକ ପଞ୍ଚାୟତ ରୁ ଶତାଧିକ ରୋଗୀ ଚିକିତ୍ସା ସକାଶେ ଆସିଥିଲେ । ପ୍ରାପ୍ତ ସୂଚନା ମତେ, ୩୫୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ଦିଆ ଯାଇଥିବା ଜାଣିବାକୁ ମିଳିଛି । ଚିକିତ୍ସା କାର୍ଯ୍ୟକ୍ରମ ସମାପନ ପରେ ସି ଡି ଏମ ଓ ଅଭୟ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସଭା କରାଯାଇଥିଲା ।

ଜଙ୍ଗଲ, ପାହାଡ଼ ଘେରା ୪୨ ଟି ଗ୍ରାମ କୁ ନେଇ ଗଠିତ ଶଗଡା ପଞ୍ଚାୟତ ସମେତ ଗୁନ୍ଦୁଲିଆ ଓ ଅନ୍ୟ କେତେକ ପଞ୍ଚାୟତ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିବାରୁ ସେମାନଙ୍କ ଦୁଆର ମୁହଁକୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟ ନେଇ ଶଗଡା ରେ ଏହି ମେଳା ଆୟୋଜନ କରାଯାଇଥିବା ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରଣା ତାଙ୍କ ବକ୍ତବ୍ୟରେ କହିଥିଲେ ।

ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଦୂର ଓ ଆଭ୍ୟନ୍ତରୀଣ ଅଞ୍ଚଳରୁ ଶତାଧିକ ରୋଗୀ ଚିକିତ୍ସା ଓ ଔଷଧ ପାଇବା ପାଇଁ ମେଳାରେ ଯୋଗ ଦେଇଥିବାରୁ ବିଧାୟକ ସେମାନଙ୍କୁ ନମସ୍କାର ଓ ଧନ୍ୟବାଦ ଜଣାଇଥିଲେ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ସେବା କିପରି ପହଞ୍ଚି ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଓ ସ୍ୱାସ୍ଥ୍ୟସେବା ପାଇବାରୁ ଯେପରି କେହି ବଞ୍ଚିତ ନ ହେବେ ସେଥିପ୍ରତି ସର୍ବଦା ସଜାଗ ରହିବାକୁ କହିଥିଲେ ।

ମେଳାରେ ଯୋଗ ଦେଇଥିବା ଅନ୍ୟତମ ସମ୍ମାନିତ ଅତିଥି ମନମୁଣ୍ଡା ସି ଏଚ ସି ଅଧ୍ୟକ୍ଷ ଡା. ମହେନ୍ଦ୍ର କୁମାର ସଏ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ବି ଡି ଓ ଦେବୀ ପ୍ରସାଦ ଦାସ, ବୌଦ୍ଧ ସି ଡି ପି ଓ ମିନତୀ ଦେଓ, ଶଗଡା ସରପଞ୍ଚ ସଂଧ୍ୟାରଣୀ ମହାକୁଡ଼, ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ଵର ସିଂ, ପ୍ରମୁଖ ମଧ୍ୟ ଉପସ୍ଥିତ ଜନତା ଓ ରୋଗୀଙ୍କୁ ଉଦବୋଧନ ଦେଇଥିଲେ ଓ ସମସ୍ତ ଙ୍କ ସହଯୋଗ ରେ ଏହି ଅଞ୍ଚଳ ର ସ୍ୱାସ୍ଥ୍ୟସେବାକୁ ଉନ୍ନତି କରିବାର କାମନା କରିଥିଲେ ।

ଆଭ୍ୟନ୍ତରୀଣ ଅଞ୍ଚଳରୁ କେତେକ ବୃଦ୍ଧ ବୃଦ୍ଧା ଓ ଦୁର୍ବଳ ରୋଗୀ ଆସିବାରେ ଅସୁବିଧା ଦେଖାଦେବାରୁ ଶଗଡା ସରପଞ୍ଚ ସଂଧ୍ୟାରଣୀ ମହାକୁଡ଼, ପୂର୍ବତନ ଶଗଡା ସରପଞ୍ଚ ସୁରଥ କୁମାର ମିଶ୍ର ଏବଂ ଗୁନ୍ଦୁଲିଆ ର ସରପଞ୍ଚ ଧବଳେଶ୍ଵର ସିଂ ସେପରି ଲୋକମାନଙ୍କୁ ନିଜ ଉଦ୍ୟମରେ ସ୍ୱାସ୍ଥ୍ୟ ମେଳାକୁ ଆଣିଥିବା ଜାଣିବାକୁ ମିଳିଛି ।

ମେଳା ରେ ଶଗଡା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଲବାହାଦୂର ମିଶ୍ର, ସହକାରୀ ଶିକ୍ଷକ ଶେଷଦେଵ ଜେନା, ନିରଞ୍ଜନ ଗିରି, ଅମରେନ୍ଦ୍ର ସିଂ, ଶ୍ରୀଧର ମହଲା, ରାମରତ୍ନ ପରଡ଼ିଆ, ଘାସିରାମ ପ୍ରଧାନ,ଶ୍ରଦ୍ଧାକର ଗାଈଗୋରିଆ, ରମଣୀ ମାଝୀ, ବାଳକୃଷ୍ଣ କର୍ମୀ ପ୍ରମୁଖ ସହଯୋଗ କରିଥିଲେ । ସଭାକୁ ପ୍ରଫୁଲ୍ଲ କୁମାର ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।