ଗରମ ସହ କଲବଲ କରୁଛି ଗୁଳୁଗୁଳି : ଆଗକୁ ୫ ଡିଗ୍ରୀ ଯାଏଁ ବଢିବ ପାରଦ

0
144
କାଶୀନଗର ସହର ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୪) : କେବଳ ଗରମ ନୁହେଁ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ ରୁ ୫ ଡିଗ୍ରୀ ବଢ଼ିଯିବ ।

ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଶୁକ୍ରବାର ରାଜଧାନୀ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ଶନିବାର ଠାରୁ ଗରମ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବି ଆକଳନ କରିଛନ୍ତି । ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢିବ ।

ଶନିବାରରୁ ସୋମବାର ଯାଏଁ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ୨୬ ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । ୨୭ ରୁ ୨୯ ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ ୪୬ ଡିଗ୍ରୀ ଟପିଯିିବ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏଁ ଏହା ବଢ଼ିବ ବୋଲି ସେ କହିଛନ୍ତି ।

ସେପଟେ ଶୁକ୍ରବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିଲା । ଭୁବନେଶ୍ୱର ର ତାପମାତ୍ରା ୪୦.୮ ଡିଗ୍ରୀ ଥିଲା । ଏହି ୩ ସହରକୁ ଛାଡ଼ି ବାକି ସବୁ ସ୍ଥାନରେ ତାପମାତ୍ରା କମ୍‌ ଥିଲା । ତାଳଚେରରେ ୩୫.୬, ବଲାଙ୍ଗୀରରେ ୩୫.୭, ଟିଟିଲାଗଡରେ ୩୬, ବାଲେଶ୍ୱରରେ ୩୬.୯ ଓ ସୋନପୁରରେ ତାପମାତ୍ରା ୩୭ ଡିଗ୍ରୀ ଥିଲା । କିନ୍ତୁ ରାଜଧାନୀରେ ଅସହ୍ୟ ଗୁଳଗୁଳି ହୋଇଥିଲା । ମଧ୍ୟାହ୍ନରେ ବାହାରକୁ ଗଲେ ଦେହ ଓ ହାତ ପୋଡ଼ି ଯାଉଥିଲା । ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଗରମ ପବନ ବହୁଥିଲା ।

ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।