ମାଟ୍ରିକ ପରୀକ୍ଷା କେଳେଙ୍କାରୀ ର ଉଦ୍‌ବେଗଜନକ ଚିତ୍ର : ଏମାନଙ୍କ ଫର୍ମ ପୂରଣ କଲା କିଏ ?

0
190
ମାଟ୍ରିକ ପରୀକ୍ଷା

ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ

ଦିଲ୍ଲୀ, କେରଳ, ଚେନ୍ନାଇରେ ଦାଦନ ଖଟୁଛନ୍ତି ପିଲା

କିଏ ବାହା ହେଇ ଗଲେଣି ତ କିଏ ପରୀକ୍ଷା କ’ଣ ଜାଣି ନାହାଁନ୍ତି

ରିପୋର୍ଟ : ରାମନାଥ ଗନ୍ତାୟତ

କଟକ, (୦୬/୦୫) : ବର୍ଷେ, ଦେଢ ବର୍ଷ ହେଲା ବାହାର ରାଜ୍ୟକୁ ଯାଇ ଯେଉଁ ପିଲା ଶ୍ରମିକ ଭାବେ କାମ କରୁଛନ୍ତି । ସେମାନେ ମାଟ୍ରିକ ପରୀକ୍ଷା ଦେବେ ବୋଲି ଏଠି ଫର୍ମ ପୂରଣ କିଏ କଲା ? ଏ ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କ ପାଖରେ ବି ଖବର ନାହିଁ ।

ମାଟ୍ରିକ ପରୀକ୍ଷା ରେ ଏଭଳି ଚକିତ କରି ଦେଲା ଭଳି କେଳେଙ୍କାରୀ ସାମନାକୁ ଆସିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷାରେ ହାରାହାରି ୪୬ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଘଟଣା ରାଜ୍ୟ ଶିକ୍ଷା ବ୍ୟବସ୍ଥା ର ଉଦ୍‌ବେଗଜନକ ଚିତ୍ରକୁ ଧରା ପକାଇ ଦେଇଛି । ଆହୁରି କୌତୂହଳ କଥା ହେଉଛି, ବୋର୍ଡ କର୍ତ୍ତୃପକ୍ଷଙ୍କ ମତ ।

ସେମାନଙ୍କର ଯୁକ୍ତି ହେଉଛି ଯେ ପ୍ରକୃତରେ କେଉଁଠି କେତେ ପିଲା ଅନୁପସ୍ଥିତ ରହିଛନ୍ତି, ସେ ଚିତ୍ର ମାଟ୍ରିକ ପରୀକ୍ଷା ସରିବା ପରେ କହିହେବ । ଏ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ଏବେ ବୋର୍ଡ ପାଖରେ ନାହିଁ । କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ଥିତି ପରଖିଲା ବେଳକୁ ଯେଉଁ ତଥ୍ୟ ଆସିଛି, ସେଥିରେ ସ୍ଥାନୀୟ ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ମୁକ୍ତ ନୁହେଁ ।

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଫର୍ମ ପୂରଣ କରି ପରୀକ୍ଷା ଦେଉ ନଥିବା ଦିଘି ଗାଁର ବିଶ୍ଵନାଥ ଦାସଙ୍କ ପୁଅ ଯଶୋବନ୍ତଙ୍କ ମାଁ ଝରଣା କହିବା ଅନୁଯାୟୀ ପୁଅ ପ୍ଲାଏଉଡ କାରଖାନାରେ କାମ କରିବାକୁ କେରଳ ଯାଇଛି । ସେହି ଗାଁର ଲକ୍ଷ୍ମୀଧର ମଲିକଙ୍କ ପୁଅ ମନୋଜ ଚାରି ମାସ ହେଲା କେରଳର ପ୍ଲାଏଉଡ କାରଖାନାରେ କାମ କରୁଛନ୍ତି ।

ବସନ୍ତ ମଲିକଙ୍କ ପୁଅ ପ୍ରଶାନ୍ତ ୨ ମାସ ହେଲା ଦିଲ୍ଲୀରେ ପାଣି ପାଇପ କାମ କରୁଛି ବୋଲି ତାଙ୍କର ଆଈ ରେଖା ମଲିକ କହିଛନ୍ତି । ଶ୍ଵେତ ମଳିକଙ୍କ ପୁଅ ସରୋଜ ଗାଁରେ ଅଛି । ହେଲେ ପରୀକ୍ଷା ଦେବାକୁ ଯାଉନି କି ସେ ସଂପର୍କରେ କିଛି ଜାଣିନି । ସୁଦର୍ଶନ ଦାସଙ୍କ ପୁଅ ସୌମ୍ୟରଂଜନ ମାସେ ତଳୁ ମାମୁଁ ଘରକୁ ଯାଇଛି, ଫେରିନି । ମାଟ୍ରିକ ପରୀକ୍ଷା ହେଉଛି ବୋଲି ପୁଅ ଜାଣିନି ବୋଲି ତାଙ୍କ ମାଆ କହିଛନ୍ତି ।

କଟକ ଜିଲ୍ଲାର ନିଆଳି ହାଇସ୍କୁଲ ର ଛାତ୍ର ସାହେବ ଗାଇପାଇ ଅଢେଇ ବର୍ଷ ହେଲା ସ୍କୁଲ ମାଟି ମାଡ଼ି ନାହାଁନ୍ତି । ସେ ଏବେ ଇଟାଭାଟିରେ କାମ କରୁଛନ୍ତି । ମାଟ୍ରିକ୍‌ ପରୀକ୍ଷା ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ବି ନାହିଁ । ଖୁଣ୍ଟୁଣୀ ର ଶ୍ୟାମ ସୁନ୍ଦର ବିଦ୍ୟାପୀଠ ରେ ପରୀକ୍ଷା ଦେଉ ନଥିବା ୯ ଜଣ ଛାତ୍ରଛାତ୍ରୀଙ୍କର ଅନେକ ବର୍ଷ ହେଲା ସ୍କୁଲ ସହ ସଂପର୍କ ନାହିଁ ।

କିନ୍ତୁ ସେମାନଙ୍କର ଫର୍ମ ପୂରଣ ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି । ସେଥିରୁ ୨ ଜଣ ଛାତ୍ରୀ ବିବାହ କରିସାରିଥିବା ବେଳେ ନନ୍ଦ ସିରକା ଚେନ୍ନାଇ ଓ ବାଆଇ ଗାଗରାଇ ବେଙ୍ଗାଲୁରରେ ରହି କାମ କରୁଥିବା ଜଣାପଡିଛି । ମାଟ୍ରିକ ପରୀକ୍ଷା କେଳେଙ୍କାରୀ ସହିତ ନାବାଳକ ବାହାର ରାଜ୍ୟରେ ଦାଦନ ଖଟିବା ଭଳି ଗୁରୁତର ସାମାଜିକ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ରେ ୨୯୧୧ ଛାତ୍ରଛାତ୍ରୀ ସମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିମଧ୍ୟରୁ ୨୬୫୧ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୨୬୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ଏହି ୨୬୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବୀଣାପାଣି ନୋଡାଲ ହାଇସ୍କୁଲ କେନ୍ଦ୍ରର ୫୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ବୀଣାପାଣି ନୋଡାଲ ହାଇସ୍କୁଲର ୩୧ ଜଣ ଓ ଘଡିଆମାଳ ସିଦ୍ଧେଶ୍ଵର ହାଇସ୍କୁଲ ର ୨୦ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି ।

ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ଠିକଣା ଖୋଜି ସେମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ଜଣା ପଡିଲା ଯେ ଅଧିକାଂଶ ପିଲା ଅନେକ ଦିନ ହେଲା ସ୍କୁଲ ମାଟି ମାଡ଼ି ନାହାଁନ୍ତି । ବୀଣାପାଣି ନୋଡାଲ ହାଇସ୍କୁଲରେ ୧୭୦ ଜଣ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ସେମାନଙ୍କ ମଧ୍ୟରୁ ୧୪୦ ଜଣ ସମେଟିଭ ଆସେସମେଣ୍ଟ–୧ ପରୀକ୍ଷା ଦେଇଥିବା ବେଳେ ୧୩୯ ଜଣ ସମେଟିଭ–୨ ଆସେସମେଣ୍ଟ ପରୀକ୍ଷା ଦେଉଛନ୍ତି ।

ସିଦ୍ଧେଶ୍ଵର ହାଇସ୍କୁଲରେ ୧୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ଜଣ ସମେଟିଭ–୧ ପରୀକ୍ଷା ଦେଇଥିବା ବେଳେ ୮୯ ଜଣ ସମେଟିଭ–୨ ପରୀକ୍ଷା ଦେଇଛନ୍ତି । କିନ୍ତୁ ଯେଉଁ ଛାତ୍ରଛାତ୍ରୀ ସମେଟିଭ-୧ ପରୀକ୍ଷା ଦେଇ ନାହାନ୍ତି କି ସ୍କୁଲକୁ ଆସୁ ନାହାଁନ୍ତି, ସେମାନଙ୍କ ଫର୍ମ ପୂରଣ କଲା କିଏ ? ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକମାନେ ବି ବଡ଼ ବିଚିତ୍ର ଉତ୍ତର ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ପୂର୍ବରୁ ଫର୍ମ ପୂରଣ ପାଇଁ ଟଙ୍କା ଦେବାକୁ ପଡୁଥିଲା ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସି ଫର୍ମ ଦସ୍ତଖତ କରିବାକୁ ପଡୁଥିଲା । ଏବେ ଫର୍ମ ପୂରଣ ପାଇଁ ଟଙ୍କା ଦେବାକୁ ପଡୁ ନଥିବା ବେଳେ ଛାତ୍ରଛାତ୍ରୀଙ୍କ ଦସ୍ତଖତ ବି ଆବଶ୍ୟକ ପଡୁନି । ତେଣୁ ବିଦ୍ୟାଳୟକୁ ଆଦୌ ଆସୁ ନଥିବା ଏବଂ ବିଦ୍ୟାଳୟରେ ନାମ ଗଡୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯାଉଛି ।

କେନ୍ଦ୍ରାପଡ଼ା ଜିଲ୍ଲା କଥା ଦେଖିଲେ ପାଖାପାଖି ୧୨୦୦ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି । ଜିଲ୍ଲା ଶିକ୍ଷା ବିଭାଗର ରେକର୍ଡ କହୁଛି ଯେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ୨୦ ହଜାର ୪୩ ରେଗୁଲାର ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜିକୃତ ହୋଇଥିଲା । ମାତ୍ର ସେଥିରୁ ହାରାହାରି ଭାବେ ୧୨ ଶହ ପିଲା ପରୀକ୍ଷା ଦେଉ ନାହାନ୍ତି । ସର୍ବାଧିକ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ରାଜନଗର ବ୍ଲକ୍‌ରେ ରହିଥିବା ବେଳେ ତା’ ପଛକୁ ମହାକାଳପଡ଼ା, ପଟ୍ଟାମୁଣ୍ତାଇ, କେନ୍ଦ୍ରାପଡ଼ା ଆଦି ବ୍ଲକ୍‌ ରହିଛି । ରାଜନଗର ବ୍ଲକ୍‌ରେ ୨୬୦ ପିଲା ପରୀକ୍ଷା ଦେଉ ନଥିବା ବେଳେ ମହାକାଳପଡ଼ାରେ ୨୨୧, ପଟ୍ଟାମୁଣ୍ତାଇରେ ୧୯୧ ଏବ˚ କେନ୍ଦ୍ରାପଡ଼ା ବ୍ଲକ୍‌ରେ ୧୪୭ ପିଲା ପରୀକ୍ଷା ଦେଉ ନାହାଁନ୍ତି ।

ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସି˚ହ କହିଛନ୍ତି ଯେ ସବୁ ପିଲା ନିଜେ ହିଁ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ପ୍ରଧାନ ଶିକ୍ଷକମାନେ ଜଣାଇଛନ୍ତି । ହେଲେ କେଉଁ କାରଣ ପାଇଁ ପରୀକ୍ଷା ଦେଲେ ନାହିଁ, ତାର କାରଣ ଖୋଜାଯିବ । କିନ୍ତୁ ୪ ମାସ/ ୬ ମାସ, ଏମିତିକି ବର୍ଷେ ରୁ ଅଧିକ ଦିନ ହେଲାଣି ବାହାର ରାଜ୍ୟରେ ଦାଦନ ଖଟୁଥିବା ପିଲା ଏଠି ଫର୍ମ ପୂରଣ କଲେ କେମିତି ? କେଉଁ ଉଦ୍ଦେଶ୍ୟ ରଖି ଏଭଳି ମିଛ ଫର୍ମ ପୂରଣ କରାଗଲା ? ସରକାରୀ ସୁବିଧା ସୁଯୋଗ ହାତେଇବା, ଅଧିକ ପିଲା ଦର୍ଶାଇ ଶିକ୍ଷକ ପଦବି ବଜାୟ ରଖିବା, ସ୍କୁଲ ର ସ୍ୱୀକୃତ ଭଳି ଅନେକ ପ୍ରସଙ୍ଗ ଏବେ ସାମନାକୁ ଆସୁଛି । ବୋର୍ଡ ବି ଏଭଳି ବ୍ୟବସ୍ଥାରେ ୫୦ ହଜାର ପାଖାପାଖି ଛାତ୍ରଛାତ୍ରୀଙ୍କର ଅଯଥା ପରୀକ୍ଷା ପରିଚାଳନା ଖର୍ଚ୍ଚ ବୋଝ ମୁଣ୍ଡାଉଛି । ଏସବୁ ପାଇଁ କାହାକୁ ଉତ୍ତରଦାୟୀ କରାଯିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।

ବୋର୍ଡର ସଭାପତି ରମାଶିଷ ହାଜରା କିନ୍ତୁ କହିଛନ୍ତି ଯେ ଅନୁପସ୍ଥିତ ଛାତ୍ରଛାତ୍ରୀ ସଂଖ୍ୟାକୁ ନେଇ ବୋର୍ଡ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କୁ ନକଲି ବୋଲି କହି ହେବ ନାହିଁ । ପରୀକ୍ଷାରେ ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ କାରଣ ବୋଲି ବୋର୍ଡ ସଭାପତି କହିଛନ୍ତି । କିନ୍ତୁ ସ୍କୁଲ ସହ ସଂପର୍କ ନ ଥିବା ଛାତ୍ରଛାତ୍ରୀଙ୍କ ନାମ ଖାତାରେ ଗଡ଼ାଇ ସେମାନଙ୍କ ନାମରେ ଫର୍ମ ପୂରଣ କରାଯିବା ଭଳି କିଛି ନିୟମ ରାଜ୍ୟ ସରକାର କରିଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠୁଛି ।