ପ୍ରଥମ ଟି-୨୦ : ଆଜି ଓଡିଶା ଆସିବେ ଖେଳାଳି ; ସୁରକ୍ଷା ବ୍ୟବସ୍ଥା କଡାକଡି

0
117
ପ୍ରଥମ ଟି-୨୦

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୦/୦୬) : ପ୍ରଥମ ଟି-୨୦ ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ ରେ ଆଗୁଆ ହୋଇଯାଇଛି ।

ଦିଲ୍ଲୀ ର ଅରୁଣ ଜେଟଲି ଷ୍ଟାଡିୟମ ଠାରେ ଖେଳାଯାଇଥିଲା ଏହି ପ୍ରଥମ ଟି-୨୦ ମ୍ୟାଚ । ଭାରତ ପ୍ରଥମେ ବ୍ୟାଟିଂ କରି ୨୧୨ ରନ ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୩ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ଓ ରାସି ଭାନ ଡର ଡୁସେନଙ୍କ ଶତକୀୟ ପାର୍ଟନରସିପ କରି ଦଳ ପାଇଁ ବିଜୟ ଆଣି ଦେଇଥିଲେ । ଡୁସେନ ୭୫ ରନ କରିଥିବାବେଳେ ମିଲର ୬୪ ରନ କରିଥିଲେ ।

ସେହିପରି ଡ୍ୱାଇନ ପ୍ରିଟୋରିଅସ ୨୯ ରନ ଓ ଡିକକ୍ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୧ ରନ କରିଥିଲା । ଏହା ଥିଲା ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ର ସବୁଠାରୁ ବଡ଼ ସ୍କୋର । ଭାରତୀୟ ଟିମରେ ବଡ ଖେଳାଳି ଅନୁପସ୍ଥିତ ରହିଛନ୍ତି । ଯାହାର ଭରପୁର ଫାଇଦା ଭ୍ରମଣକାରୀ ଦଳ ନେଇଛି ବୋଲି କୁହାଯାଉଛି ।

ତେବେ ଦ୍ୱିତୀୟ ମ୍ୟାଚ କଟକ ବାରବାଟୀରେ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୁବନେଶ୍ୱର ଆସି ପହଞ୍ଚିବେ ଭାରତୀୟ ଖେଳାଳି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।