କ୍ଲିନ ସୋନପୁର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
158
କ୍ଲିନ ସୋନପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୭) : ଆଗାମୀ ୬ ମାସରୁ ଏକ ବର୍ଷ ମଧ୍ୟରେ ସୋନପୁର ସହରକୁ ରାଜ୍ୟ ର ସ୍ୱଚ୍ଛତମ ସହର କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଭିଜନ କ୍ଲିନ ସୋନପୁର ନିମନ୍ତେ ଯୋଜନା ର ରୂପରେଖ ପ୍ରସ୍ତୁତ କରାଯାଇଛି l

ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପୌରାହିତ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଡୁ ଡା, ଉପଜିଲ୍ଲାପାଳ ସୋନପୁର, ମ୍ୟୁନିସିପାଲିଟି ଅଧିକାରୀ ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି କ୍ଲିନ ସୋନପୁର ଜନମଙ୍ଗଳ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ବିଶେଷ ଆଲୋଚନା କରାଯାଇଛି l

ଏହି ପରିପ୍ରେକ୍ଷୀରେ ସହରାଞ୍ଚଳ ର ଘର କୁ ଘର ସର୍ଭେ କରାଯାଇ ପ୍ରତ୍ୟେକ ପରିବାର ର ମୁଖ୍ୟ ତଥା ପରିବାର ସଦସ୍ୟ ସଂଖ୍ୟା, ଘରୁ ନିର୍ଗମଣ ବିଭିନ୍ନ କିସମର ବର୍ଜ୍ୟବସ୍ତୁ ର ପରିମାଣ ପ୍ରଭୁତି ର ତଥ୍ୟ ସୁନିଶ୍ଚିତ କରାଯିବ ସହ ବସବାସ କରୁଥିବା ପ୍ରତ୍ୟେକ ଘରେ ପାଇଖାନା ଓ ପାଇଖାନା ଟାଙ୍କି ର ନିର୍ମାଣ, ପୁନଶ୍ଚ ପାଇଖାନା ରୁ ମଳ ନିର୍ଗତ ପାଇପ ସିଧାସଳଖ ଯେପରି ସର୍ବସାଧାରଣ ନାଳରେ ସଂଯୋଗ ନହୋଇ ଗୃହ ମାଲିକ ଦ୍ୱାରା ପ୍ରସ୍ତୁତ ସେପ୍ଟି ଟ୍ୟାଙ୍କରେ ସଂଯୋଗ ରହିବ ସେଥିପ୍ରତି ନିଶ୍ଚିତ କରାଯିବାକୁ ପରାମର୍ଶ ଦେଇଛନ୍ତି l

ଯେଉଁ ଗୃହ ମାଲିକଙ୍କ ସେଫଟି ଟ୍ୟାଙ୍କ ନାହିଁ ସେମାନେ ଆସନ୍ତା ଏକ ମାସ ମଧ୍ୟରେ ନିର୍ମାଣ କରିବାକୁ ପୌର ପରିଷଦ ଦ୍ୱାରା ସୂଚୀତ କରାଯିବାକୁ ପରାମର୍ଶ ଦିଆଯାଇଛି l ଘରୁ ବାହାରୁ ଥିବା ବର୍ଯ୍ୟବସ୍ତୁ କୁ ବାହାରେ ଏଣେ ତେଣେ କିମ୍ବା ସର୍ବସାଧାରଣ ନାଳ ରେ ନ ଫୋପାଡ଼ି ପ୍ରତ୍ୟହ ଅଲଗା ଅଲଗା ଭାବେ ଚି଼ହ୍ନଟ ଡଷ୍ଟବିନରେ ଘର ଦରଜା ବାହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଖିବେ, ଯାହା ମ୍ୟୁନିସିପାଲିଟି ତରଫରୁ ନିୟୋଜିତ ସଫେଇ କର୍ମଚାରୀ ଙ୍କ ଦ୍ୱାରା ବ୍ୟବସ୍ଥିତ ଭାବେ ସଂଗ୍ରହ କରାଯାଇପାରିବ l

ବର୍ଜ୍ୟବସ୍ତୁ ସଂଗ୍ରହ ର ସମୟ ବସବାସ ଗୃହ ନିମନ୍ତେ ପ୍ରତ୍ୟହ ସକାଳ ୬ ଘଣ୍ଟା ଓ ୮ ଘଣ୍ଟା ଓ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ପ୍ରତ୍ୟହ ସକାଳ ୯ ଘଣ୍ଟା ରହିଛି l ବର୍ଜ୍ୟବସ୍ତୁ ପରିଚାଳନା କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ, ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଦୈନିକ ୮ଟି ଯାନ, ୧୨ଟି ତିନି ଚକିଆ ଯାନ, ଏବଂ ୨୦ଟି ହାତଟଣା ଠେଲା ର ଉପଯୋଗ କରାଯିବ l

ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ଯାଞ୍ଚ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ଇପ୍ସିତା ମିଶ୍ର ଙ୍କୁ ନିୟୋଜିତ କରାଯାଇଛି l ସେ ନିୟମିତ ପୋଲିସ ଅଧିକାରୀ ଙ୍କ ସହ ପେଟ୍ରୋଲିଙ୍ଗ କରି କାର୍ଯ୍ୟକ୍ରମ ର ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି l ସହରରେ ଡ୍ରେନ ଗୁଡିକୁ ବ୍ୟବସ୍ଥିତ କରିବା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସହର ରେ ବର୍ତ୍ତମାନ ରହିଥିବା ଡ୍ରେନ ର ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ର ସମ୍ପୂର୍ଣ ତଥ୍ୟ ୭ ଦିନ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି l

ସହରରେ ଡ୍ରେନ ଗୁଡ଼ିକର ସୁପରିଚାଳନା ଓ ତଦାରଖ ନିମନ୍ତେ ଏନ ସି ସି କ୍ୟାଡଟ, ଏନ ଏସ ଏସ, ସ୍କାଉଟ, ଏବଂ ବିଭିନ୍ନ ସ୍କୁଲ ଓ କଲେଜ ର ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀ ପ୍ରମୁଖ ତଦାରଖ କରି ତତ ସମ୍ୱନ୍ଧୀୟ ସୂଚନା ପ୍ରଦାନ କରିବେ l ଏପରିକି ସଚେତନତା ପରେ ମଧ୍ୟ ଡ୍ରେନ ଭିତରକୁ ଅଳିଆ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସୋନପୁର ଉପଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସହର ର ପ୍ରତ୍ୟେକ ଡ୍ରେନ ଉପରେ ସ୍ଲାବ ଢାଙ୍କୁଣୀ କରିବାକୁ ଜିଲ୍ଲପାଳ ପୌର ପରିଷଦ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l

ଆଗାମୀ ଦିନରେ ସହରର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ସହ ବର୍ୟବସ୍ତୁ ପରିଚାଳନା ଓ ସଂଗ୍ରହ ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହେବ l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ଙ୍କ ଏହି ମହତ ଲକ୍ଷ୍ୟକୁ ତ୍ୱରାନ୍ୱିତ ତଥା ସମୟ ଅବଧି ମଧ୍ୟରେ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ତା ୩୦/୬/୨୨ ରିଖ ରେ ସୁବର୍ଣ୍ଣପୁର ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କଁହର ଙ୍କ ପୌରାହିତ୍ୟରେ ” କ୍ଲିନ ସୋନପୁର” ମିଶନ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ଉପରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l

ସୋନପୁର ସହର କୁ ଏକ ସ୍ୱଚ୍ଛ ସୁନ୍ଦର ସହର କରିବା ନିମନ୍ତେ ସମସ୍ତଙ୍କ ମିଳିତ ସହଯୋଗ ଓ ସହାଭାଗିତା ର ଆବଶ୍ୟକତା ରହିଛି ଏଣୁ ସମସ୍ତେ ଆନ୍ତରିକ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଜିଲ୍ଲପାଳ ଙ୍କ “କ୍ଲିନ ସୋନପୁର” ଭିଜନ ଉପରେ ସୂଚନା ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ଶ୍ରୀ କଁହର l ଅଧିକ ରୁ ଅଧିକ ଜନ ସଚେତନତା ଏବଂ ଜନ ସହଭାଗିତା ହିଁ ଏହି କ୍ଲିନ ସୋନପୁର ମିଶନ କୁ ସଫଳ କରିବ l

ଏଣୁ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ପୌର ପରିଷଦ ର ପ୍ରତ୍ୟେକ ୱାର୍ଡ ୱାରୀ ସମସ୍ତ ବୁଦ୍ଧିଜୀବୀ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଗୃହ ମାଲିକ, ବରିଷ୍ଠ ନାଗରିକ,ସମ୍ପୃକ୍ତ ୱାର୍ଡ କାଉନସିଲର, ୱାର୍ଡ ଅଧିକାରୀ, ପୌର ପରିଷଦ କର୍ମଚାରୀ, ବରିଷ୍ଠ ଅଧିକାରୀ ପ୍ରମୁଖ ଙ୍କ ମଧ୍ୟରେ ୧ ମାସ ଭିତରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ଜନସହଭାଗିତା ର ବିଶେଷ ଭୂମିକା ରହିଥିବା ହେତୁ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଧିକାରୀ ତଥା କର୍ମଚାରୀ ପ୍ରମୁଖ ତୃଣମୂଳ ସ୍ତରରେ ଆବଶ୍ୟକ ସଚେତନତା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି l

ଆଜିର ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ, ସି ଡି ପି ଓ, ସୋନପୁର ନିବେଦିତା ସରାଫ, ସହରାଞ୍ଚଳ ର ସମସ୍ତ ଏ ଏନ ଏମ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପୌରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସେନିଟେସନ ସୁପରଭାଇଜର, ମ୍ୟୁନିସିପାଲିଟି ର ବିଭିନ୍ନ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l