Friday, March 29, 2024

Top 5 This Week

Related Posts

ଆଜି ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୮/୦୭) : ଆଜି ରାଷ୍ଟ୍ରପତି ନିର୍ବାଚନ । ଦେଶ ର ୧୫ ତମ ରାଷ୍ଟ୍ରପତି କିଏ ହେବେ ? ଆଜି ଏଥିପାଇଁ ପଢ଼ିବ ଭୋଟ । ଗୋଟିଏ ପଟେ ଏନଡିଏ ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟ ର ପ୍ରାର୍ଥୀ ଯଶୱନ୍ତ ସିହ୍ନା ।

ଆଜି ରାଷ୍ଟ୍ରପତି ନିର୍ବାଚନ । ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ । ଏଥିପାଇଁ ଅନେକ ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ସମର୍ଥନ ଯୋଗୁଁ ଶ୍ରୀ ସିହ୍ନାଙ୍କ ତୁଳନାରେ ଶ୍ରୀମତୀ ମୁର୍ମୁଙ୍କ ପଲ୍ଲାଭାରି ରହିଛି । କିନ୍ତୁ କ୍ରସ ଭୋଟିଂ ର ଆଶଙ୍କା ଥିବାରୁ ନିର୍ବାଚନ ଫଳାଫଳ ବଦଳି ଯାଇପାରେ ବୋଲି ବିରୋଧୀ ଆଶା ରଖିଛନ୍ତି ।

ଆଜି ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଭୋଟ ଦେବେ । ବିଜେଡି ଠାରୁ ଆରମ୍ଭ କରି ଏନଡିଏରେ ନଥିବା ଜେଜେଏମ, ୱାଇଏସ୍‌ଆର କଂଗ୍ରେସ, ବିଏସପି, ଶିବସେନା ଓ ଜେଡିଏସ ଭଳି ଦଳ ଶ୍ରୀମତୀ ମୁର୍ମୁଙ୍କୁ ଦେଶ ର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି ।

ଏହି ଆଞ୍ଚଳିକ ଦଳଗୁଡ଼ିକ ସମର୍ଥନ ଘୋଷଣା କରିଥିବାରୁ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୬୦% ରୁ ଅଧିକ ଭୋଟ୍‌ ପଡ଼ିବ ବୋଲି ଆଶା କରାଯାଉଛି । ଏହାର ଅର୍ଥ ମୋଟ ୧୦ ଲକ୍ଷ ୮୬ ହଜର ୪୩୧ ମୂଲ୍ୟ ର ଭୋଟ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟ ର ଭୋଟ ପଡ଼ିପାରେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସଂସଦ ଭବନ ଓ ରାଜ୍ୟଗୁଡ଼ିକର ବିଧାନସଭାରେ ଅନୁଷ୍ଠିତ ହେବ । ସକାଳ ୧୦ ଟାରୁ ଭୋଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେଉଥିବା ବେଳେ ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍‌ ଗଣତି ହେବ । ସେହିପରି ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ଶପଥ ଗ୍ରହଣ କରିବେ । ଏବେ ଦେଶ ର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ ।

ଆଜି ୫ଟି ରାଜ୍ୟ ର ୯ ଜଣ ବିଧାୟକ ସଂସଦରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବେ । ଏମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ରୁ ୪ ଜଣ, ତ୍ରିପୁରା ରୁ ୨ ଜଣ, ଓଡ଼ିଶା, ଆସାମ ଓ ହରିୟାଣା ର ଜଣେ ଲେଖାଏଁ ବିଧାୟକ ରହିଛନ୍ତି । ସେହିପରି ଉଭୟ ସଦନର ୪୨ ଜଣ ସାଂସଦ ସେମାନଙ୍କ ନିଜ ନିଜ ରାଜ୍ୟ ବିଧାନସଭାରେ ଭୋଟ ଦେବେ ବେଳେ ସଂସଦ ସୂତ୍ରରୁ ଖରବ ମିଳିଛି । ନିୟମ ଅନୁସାରେ, ନିର୍ବାଚିତ ବିଧାୟକ ଓ ସାଂସଦମାନେ ଉଭୟ ସଂସଦ କିମ୍ବା ବିଧାନସଭାରେ ଭୋଟ ଦେଇ ପାରିବେ ।

Popular Articles