ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ଜିତିଲେ ବିକାଶ ଠାକୁର

0
141
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବର୍ମିଂହାମ/ନୂଆଦିଲ୍ଲୀ, (୦୨/୦୮) : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ର ପଦକ ଜିତିବା ଧାରା ଜାରି ରହିଛି । ଏହି କ୍ରମରେ ଭାରତର  ବିକାଶ ଠାକୁର ଭାରୋତ୍ତୋଳନ ର ୯୬ କେଜି ବର୍ଗରେ ଭାରତ ପାଇଁ ଆଉ ଏକ ରୌପ୍ୟ ପଦକ ଜିତିଛନ୍ତି ।

ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୮ ଟି ପଦକ କେବଳ ଭାରୋତ୍ତୋଳନରୁ ମିଳିଲାଣି । ଆଜି ୯୬ କେଜି ବର୍ଗରେ ବିକାଶ ଠାକୁର ଦମଦାର ଆରମ୍ଭ କରିଥିଲେ । ସେ ସ୍ନାଚରେ ୧୫୫ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଓଜନ ଉଠାଇଛନ୍ତି । ମୋଟ ୩୪୬ କେଜି ଓଜନ ଉଠାଇ ରୁପା ପଦକ ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ବିକାଶଙ୍କ ତୃତୀୟ ପଦକ । ସେ ୨୦୧୪ ରେ ରୌପ୍ୟ ଓ ୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

ଆଜି ବିକାଶ କ୍ଲିନ ଆଣ୍ଡ ଜର୍କର ଶେଷ ପ୍ରୟାସରେ ୧୯୮ କେଜି ଓଜନ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ବର୍ଗରେ ସାମୋଆର ଡନ ଓପେଲୋଗେ ରେକର୍ଡ ୩୮୧ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି । ସେ ସ୍ନାଚରେ ୧୭୧ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୨୧୦ କେଜି ଓଜନ ଉଠାଇଛନ୍ତି । ସେହିପରି ମୋଟ ୩୪୩ କେଜି ଓଜନ ଉଠାଇ ଫିଜିର ଟି ଟୁଇସୁଭା ଆର ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବିକାଶ ଠାକୁରଙ୍କ ପୂର୍ବରୁ ଭାରତ ପାଇଁ ଭାରୋତ୍ତୋଳନରେ ମୀରାବାଈ ଚାନୁ ସ୍ୱର୍ଣ୍ଣ, ଅଚିନ୍ତା ଶିଉଳି ସ୍ୱର୍ଣ୍ଣ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ସଙ୍କେତ ମହାଦେବ ସାଗର ରୌପ୍ୟ, ଗୁରୁରାଜା ପୂଜାରୀ ବ୍ରୋଞ୍ଜ ଓ ମହିଳା ୭୧ କେଜି ବର୍ଗରେ ହରଜିନ୍ଦର କୌର ବ୍ରୋଞ୍ଜ ପଦକ ଜିତିଥିଲେ ।