ଏବେଠୁ ଦୁର୍ଗାପୂଜା ପ୍ରସ୍ତୁତି, ରାତି ୧୨ ପର୍ଯ୍ୟନ୍ତ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ

0
119
ଏବେଠୁ ଦୁର୍ଗାପୂଜା ପ୍ରସ୍ତୁତି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୮) : ଆସନ୍ତାକାଲି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା । ଦେଢ଼ ମାସ ପରେ ଦୁର୍ଗାପୂଜା । ପାର୍ବଣ ର ଏହି ପୂଜା ଉତ୍ସବ ରାଜଧାନୀ ଭୁବନେଶ୍ୱରରେ ଧୁମଧାମରେ ଜମିବ । ଏବେଠୁ ଦୁର୍ଗାପୂଜା ପ୍ରସ୍ତୁତି, ରାତି ୧୨ ପର୍ଯ୍ୟନ୍ତ ରାଜଧାନୀବାସୀ ପୂଜା ମଣ୍ଡପରେ ଠାକୁରାଣୀଙ୍କ ଦର୍ଶନ ସାଙ୍ଗକୁ ସଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ନେଇପାରିବେ ।

ଏବେଠୁ ଦୁର୍ଗାପୂଜା ପ୍ରସ୍ତୁତି, ରାତି ୧୨ ପର୍ଯ୍ୟନ୍ତ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିପାଇଁ ଅନୁମତି ଦେଇଛି ପୁଲିସ ପ୍ରଶାସନ । ତେବେ ପୂଜାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବ୍ୟାନ କରାଯାଇଛି । ଆଜି ଦୁର୍ଗାପୂଜା ପାଇଁ ବସିଥିବା କମିଶନରେଟ ପୁଲିସ ର ପ୍ରସ୍ତୁତି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ତେଣୁ ଏ ସବୁ ନିୟମକାନୁନ ମାନି ପୂଜା ମଣ୍ଡପରେ କିପରି ପୂଜା ହେଉଛି ତାହା ଦେଖିବାର କଥା ।

ବୈଠକରେ ରାଜଧାନୀ ର ବିଭିନ୍ନ ପୂଜା କମିଟି ର କାର୍ଯ୍ୟକର୍ତ୍ତା, ସମସ୍ତ ଥାନାର ଅଧିକାରୀ, ବିଦ୍ୟୁତ ଓ ଅଗ୍ନିସମ ବିଭାଗ ର ଅଧିକାରୀ, ବିଏମ୍‌ସି ମେୟର, ବିଧାୟକ ସୁର ରାଉତରାୟ, ସୁଶାନ୍ତ ରାଉତ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ପୂଜା ଧୁମଧାମରେ ହୋଇପାରୁ ନ ଥିଲା । ଏଥିଜନିତ କଟକଣା ହଟିଥିବାରୁ ଦୀର୍ଘ ଦୁଇ ବର୍ଷ ପରେ ଅର୍ଥାତ୍ ଚଳିତ ବର୍ଷ ପୂଜା ବେଶ ହର୍ଷ ଉଲ୍ଲାସରେ ପାଳନ ହେବ । ପୂଜା ଦେଖିବାକୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶଙ୍କା କରାଯାଉଛି ।

ତେଣୁ ପୂଜା ମଣ୍ଡପ ଓ ନିକଟସ୍ଥ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ । ଡ୍ରେନେଜ ସମସ୍ୟାର ସମାଧାନ, ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ଦିଆଯାଥିବା ସହାୟତା ରାଶି ବଢ଼ାଇବା, ସଠିକ ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ସହଯୋଗ ନେଇ ବୈଠକରେ ଅଲୋଚନା ହୋଇଥିଲା ।

ସେହିପରି ଭସାଣି ବେଳେ ଯେପରି ମେଢ଼ରେ ବିଦ୍ୟୁତ ତାର ନ ଲାଗିବ ତାହାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ପୂଜା ଓ ଭସାଣି ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା କରାଯାଇଛି । ଚଳିତମାସ ୨୦ ରୁ ୨୭ ତାରିଖ ଭିତରେ ପୂଜା କମିଟି ଗୁଡିକ ଏଥିପାଇଁ ଆବେଦନ କରି ଅନୁମତି ନେଇ ପାରିବେ । ଭୁବନେଶ୍ୱର ଉପକଣ୍ଠରେ ପୂଜା କରୁଥିବା ପୂଜା କମିଟି ଏଡିଏମ ଅଫିସରେ କରାଯାଇଥିବା ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥାରୁ ଆବେଦନ କରି ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି ।

ବୈଠକରେ ମେୟର ସୁଲୋଚନା ଦାସ କହିଛନ୍ତି, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ପ୍ରତି ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ । ବଡ ବଡ ପୂଜା ମଣ୍ଡପରେ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା କରାଯିବ । ସେହିପରି ଅଳିଆ ଉଠାଇବା ପାଇଁ ସ୍ୱତନ୍ତ୍ର ଭାବେ ଡ଼ଷ୍ଟବିନ ବ୍ୟବସ୍ଥା ସହ ଅଳିଆ ଉଠାଇବା ବ୍ୟବସ୍ଥା କରାଯିବ । ପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।