ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା : ଏକ ତୃତୀୟାଂଶ ଜଳମଗ୍ନ

0
137
ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଇସଲାମାବାଦ, (୦୩/୦୯) : ପ୍ରାୟ ୬୦ ବର୍ଷ ପରେ ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ଚାରିଆଡ଼େ ହାହାକାର ସ୍ଥିତି, ଦେଶ ର ଏକ ତୃତୀୟାଂଶ ଜଳମଗ୍ନ ହୋଇ ଯାଇଛି । ଚଳିତ ବର୍ଷ ପାକିସ୍ତାନରେ ହୋଇଥିବା ମୌସୁମୀ ବର୍ଷା ସ୍ୱାଭାବିକ ବର୍ଷାଠୁ ୧୦ ଗୁଣ ଅଧିକ ।

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ସିନ୍ଧୁ ନଦୀ ର ଦ୍ରୁତ ପ୍ରବାହ ହେତୁ ପ୍ରାୟ ଦଶ କିଲୋମିଟର ଚଉଡା ର ଏକ ନୂତନ ହ୍ରଦ ସୃଷ୍ଟି ହୋଇଯାଇଛି । ଏହି ଅସମ୍ଭବ ବନ୍ୟା ହେତୁ ପାକିସ୍ତାନ ର ବହୁ ଧନଜୀବନ ନଷ୍ଟ ହୋଇଯାଇଥିବା ବେଳେ ଖାଦ୍ୟାଭାବ ଏକ ବଡ଼ ସଙ୍କଟ ଭାବେ ଉଭା ହୋଇଛି । ପାକିସ୍ତାନ ର ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିକୁ ସର୍ବୋଚ୍ଚ ସ୍ତର ର ଜରୁରୀକାଳୀନ ପରିସ୍ଥିତି ଭାବେ ଶ୍ରେଣୀଭୁକ୍ତ କରିଛି WHO ।

ମିଳିତ ଜାତିସଂଘ କାର୍ଯ୍ୟାଳୟ ର ମାନବ ସମ୍ବଳ ସମନ୍ୱୟ କାର୍ଯ୍ୟାଳୟର ଏକ ଷ୍ଟାଟସ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୨ ମିଲିୟନ ଏକର ଫସଲ ପ୍ରଭାବିତ ହୋଇଛି ଏବଂ ପାକିସ୍ତାନରେ ପ୍ରାୟ ୮ ଲକ୍ଷ ପଶୁ ପ୍ରାଣ ହରାଇଛନ୍ତି । ଏହି ବିପର୍ଯ୍ୟୟ ହେତୁ ଦେଶ ର ଭିତ୍ତିଭୂମି ଦୋହଲିଯାଇଛି । ବହୁ ଲୋକ ବେସହାରା ହୋଇଯାଇଛନ୍ତି, ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ଏହି ବନ୍ୟା ଯୋଗୁଁ ପ୍ରାୟ ୧୦ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଦେଶ ର ଜନସଂଖ୍ୟା ର ପ୍ରାୟ ୧୫ ପ୍ରତିଶତ ଅର୍ଥାନ ପ୍ରାୟ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ଏନଡିଏମଏ ଅନୁଯାୟୀ ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ଅତିକମରେ ୫ ହଜାର କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ପାକିସ୍ତାନ ର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ।

ଆକ୍ସନ୍ ଅଗନେଷ୍ଟ ହଙ୍ଗର ଅନୁଯାୟୀ, ପାକିସ୍ତାନରେ ପ୍ରାୟ ୨୭ ନିୟୁତ ଲୋକ ବନ୍ୟା ପୂର୍ବରୁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରି ନ ଥିଲେ । ବର୍ତ୍ତମାନ ବନ୍ୟା ଯୋଗୁଁ ପରିସ୍ଥିତି ଅଧିକ ବିପଜ୍ଜନକ ହୋଇପଡିଛି । ବ୍ରିଟେନସ୍ଥିତ ସହାୟତା ମିଳିତ ମଞ୍ଚ ର ବିପର୍ଯ୍ୟୟ ଜରୁରୀକାଳୀନ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ବର୍ତ୍ତମାନ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା । କାରଣ ବନ୍ୟା ଯୋଗୁଁ ଚାରିଆଡ଼େ ବିପୁଳ ପରିମାଣ ର ଫସଲ ନଷ୍ଟ ହୋଇଯାଇଛି । ଯେଉଁ କାରଣରୁ ଆଗକୁ ଖାଦ୍ୟ ସମସ୍ୟା ଅଧିକ ଗୁରୁତର ହେବ ।

ବନ୍ୟା ପରିସ୍ଥିତି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ପାକିସ୍ତାନ ସରକାରଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ପାକିସ୍ତାନ ର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଲୋକମାନେ ଖାଦ୍ୟ ଅଭାବ ର ସମ୍ମୁଖୀନ ହେଉଛନ୍ତି ଏବଂ ଟମାଟୋ ଏବଂ ପିଆଜ ଭଳି ସାମଗ୍ରୀ ର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି । ମୁଁ ମୋର ଲୋକଙ୍କୁ ଖାଇବାକୁ ଦେବାକୁ ଚାହୁଁଛି । ତାଙ୍କ ପେଟ ଖାଲି ରହିପାରିବ ନାହିଁ । ”

ବନ୍ୟା ପରେ ଡାଇରିଆ ରୋଗ, ଚର୍ମ ସଂକ୍ରମଣ, ଶ୍ୱାସକ୍ରିୟା ସଂକ୍ରମଣ, ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ସମେତ ବହୁ ସଂଖ୍ୟକ ଜଳବାହୀ ରୋଗ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲଇ ଚେତାବନୀ ଦେଇ ସାରିଲେଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ । ପାକିସ୍ତାନ ର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଜୁନ୍ ମଧ୍ୟଭାଗରୁ ବନ୍ୟାରେ ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୪ ଶହ ଜଣ ଶିଶୁ । ଏହି ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ।

ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ପାକିସ୍ତାନରେ ମୌସୁମୀ ଜନିତ ବର୍ଷାରେ ସାଧାରଣତଃ ଅତି ପ୍ରବଳ ଧାରାରେ ବର୍ଷା ଆଣିଥାଏ, କିନ୍ତୁ ୧୯୬୧ ମସିହା ପରଠୁ ଚଳିତ ବର୍ଷ ର ବର୍ଷା ସବୁଠୁ ଭୟଙ୍କର ରୂପ ନେଇଛି । ଏନଡିଏମଏ ଅନୁଯାୟୀ, ଦକ୍ଷିଣ ସିନ୍ଧ ଏବଂ ବଲୁଚିସ୍ତାନ ପ୍ରଦେଶରେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ହାରାହାରି ବୃଷ୍ଟିପାତ ଠାରୁ ୫୦୦% ପ୍ରତିଶତ ଅଧିକ ହୋଇଛି । ଚଳିତ ବର୍ଷ ର ବନ୍ୟା ପରିସ୍ଥିତି ଦେଶ ର ଇତିହାସରେ ସବୁଠାରୁ ଖରାପ ସମୟ, ଏହାର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।