-5.7 C
Innichen
Friday, December 2, 2022

ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ଗ୍ରାମ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧର ଦାୟିତ୍ଵ ନେବେ // ସମସ୍ତ ଅଧିକାରୀ ନିଜେ ନିଜେ ଗୋଟିଏ ଗୋଟିଏ ଗ୍ରାମକୁ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ // ଶିଶୁ ମାନଙ୍କ ସୁରକ୍ଷା ପାଇଁ ସଚେତନ ନିମନ୍ତେ ଏକ ୧୦୦ ଦିନିଆ ପଦଯାତ୍ରା କରାଯିବ //

ରାୟଗଡ଼ା, ତା (୨୯/୦୯) : ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅଭିଯାନ ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟି ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡ଼ା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି ।

ଆଜି ଆମେ ଯେଉଁ କାର୍ଯ୍ୟ କରୁଛେ ତାହା ଆଗାମୀ ଦିନରେ ଜିଲ୍ଲା ପାଇଁ ସୁଫଳ ଆଣିଦେବ । ଗୋଟିଏ ବିଭାଗ ର କାମ ଅନ୍ୟ ବିଭାଗ ପ୍ରତି ପରୋକ୍ଷରେ ସହାୟକ ହେଉଛି ତେଣୁ ମିଳିତ ଭାବେ ଯୋଜନା କରି କାର୍ଯ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି । କିଶୋର କିଶୋରୀ ମାନଙ୍କୁ ଶିକ୍ଷା ଓ ସଚେତନତା କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ଏହି କମିଟି ର ସଦସ୍ୟ ମାନେ ଗଣ ସଚେତନତା ପାଇଁ ଆଗାମୀ ଦିନରେ ୧୦୦ ଦିନିଆ ପଦଯାତ୍ରା ର କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଗୋଟିଏ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଶେଷ କରି ଗ୍ରାମ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ମହାରଣା ଆଗାମୀ ଦିନରେ ପଲ୍ଲିସଭା ଓ ଗ୍ରାମସଭା ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନ କରିବା ପାଇଁ ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ସୂଚନା ଦିଆଯିବ ବୋଲି କହିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ବୈଠକ ସୂଚନା ଦେଇ କହିଥିଲେ ଯେ ଚଳିତ ମାସରେ ଜିଲ୍ଲାରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟି ର ବୈଠକ ଅନୁଷ୍ଟିତ ହୋଇଛି । ଗତ ମାସରେ ଗୋଟିଏ ଶିଶୁ କୁ ପୋଷ୍ୟ ସନ୍ତାନ ଗ୍ରହଣ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଞ୍ଚାୟତ ସ୍ତରରେ ଶିଶୁ ମାନଙ୍କ ସୁରକ୍ଷା ସହିତ ସେମାନଙ୍କ ପରିବାର ଗୁଡିକୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଏବଂ ବିଭିନ୍ନ ସାମାଜିକ ସଚେତନ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟ କରିବା ନିମନ୍ତେ ଗୁରୁତ୍ଵ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

ପ୍ରଶାସନ ତରଫରୁ ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ମାନଙ୍କ ନିମନ୍ତେ ନିରାପଦ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନ ର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅରୁଣା ସଂଗଠନ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ ଅଣ ଆନୁଷ୍ଠାନିକ ଯତ୍ନ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଲାଲ ମୋହନ ରାଉତରାୟ, ଗୁଣୁପୁର ଉପ-ଜିଲ୍ଲାପାଳ ଲୋକନାଥ ଦଳ ବେହେରା, ରାୟଗଡ଼ା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ପଦ୍ମଚରଣ ନାୟକ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ର ବିଭିନ୍ନ ବ୍ଲକ ର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝି, ଜିଲ୍ଲା ଶିଶୁମଙ୍ଗଳ ସମିତି ର ଅଧ୍ୟକ୍ଷ ରାଜ କିଶୋର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଓରମାସ ର ଡେପୁଟି କାର୍ଯ୍ୟ ନିର୍ବାହୀ ମନୋଜ ପାତ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପରିଚାଳକ ହେମନ୍ତ ବାଗ, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ନିରଞ୍ଜନ ମଲ୍ଲିକ, ଜିଲ୍ଲା ର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ କର୍ମ ନିଯୁକ୍ତି ବିଭାଗ, ଶ୍ରମ ବିଭାଗ, ମଙ୍ଗଳ ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles