ଚରଦା କପିଳେଶ୍ୱର ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ : ପୁଲିସ ର ତଦନ୍ତ ଜାରି

0
348
ଚରଦା କପିଳେଶ୍ୱର ମନ୍ଦିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୩/୧୦) : ବିନିକା ଅଞ୍ଚଳ ର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିର ରେ ଥିବା ଗତ ରାତିରେ ୩ ଦାନବାକ୍ସ କୁ ଭାଙ୍ଗି ଟଙ୍କା ଚୋରି କରିନେଇଥିବା ଚରଦା ଟ୍ରଷ୍ଟ ବୋର୍ଡ କମିଟି ର ସଭାପତି ଅଶୋକ ପୃଷ୍ଟି ବିନିକା ଥାନାରେ ଅଭିଯୋଗ କରିଛନ୍ତି ।

ଆଜି ସକାଳେ ଅନୁସନ୍ଧାନକାରୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଚୋର ମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ । ସିସି ଟିଭି ଫୁଟେଜ ରୁ ମିଳିଥିବା ତଥ୍ୟ ଅନୁସାରେ ପୁଣି ଗତକାଲି ବିଳମ୍ବିତ ରାତିରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଚରଦା କପିଳେଶ୍ୱର ମନ୍ଦିର ପଛ କବାଟ ଭାଙ୍ଗି ମନ୍ଦିର ଭିତରକୁ ଆସି ସିଂହଦ୍ଵାର, ମହାଦେବ ବାବାଙ୍କ ସମ୍ମୁଖ ଓ ମାଁ ଚରଦେଇ ମନ୍ଦିର ସମ୍ମୁଖରେ ଥିବା ଦାନବାକ୍ସ କୁ ଚତୁରତାର ସହ ଭାଙ୍ଗି ସେଥିରେ ଥିବା ଆନୁମାନିକ ୨୫ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି ।

ଏହି ଘଟଣା ଜଣାପଡିବା ପରେ ଟ୍ରଷ୍ଟ ବୋର୍ଡ ସଭାପତି ଫୋନ ମାଧ୍ୟମରେ ପୁଲିସକୁ ଖବର ଦେବାପରେ ବିନିକା ଥାନା ଅଧିକାରୀ ପବିତ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ମନ୍ଦିରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଅନୁସନ୍ଧାନକାରୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲେ । କୁକୁରଟି ପ୍ରଥମେ ମହାପ୍ରଭୁଙ୍କ ରୋଷେଇ ସାଲା, ପାର୍ବତୀ ମନ୍ଦିର ପଛପଟ ବାବା ମଠ, ବାମ୍ପି ରାସ୍ତା ଦେଇ ଚାଷ ଜମି ଭିତରେ ସନିଶ୍ଚର ମନ୍ଦିର ପର୍ଯ୍ୟନ୍ତ ଗମନ କରିଥିଲେ ମଧ୍ୟ ଚୋର ମାନଙ୍କର କୌଣସି ପତ୍ତା ପାଇ ନଥିଲା ।

ସୂଚନା ଯୋଗ୍ୟ ଯେ, ୨୦୧୧ ମସିହାରେ ଏହି ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିଲା କିନ୍ତୁ ଦୁଃଖ ର ବିଷୟ ଅଦ୍ୟାବଧି ଚୋର ଧରା ପଡିନାହିଁ କି ଚୋରି ସାମଗ୍ରୀ ମିଳିନାହିଁ । ଏଣୁ ତୁରନ୍ତ ଚୋରି କରିଥିବା ବ୍ୟକ୍ତି ମାନଙ୍କୁ ପୁଲିସ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହା ସହ ସରକାରଙ୍କ ତରଫରୁ ଏହି ମନ୍ଦିରରେ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ଦାବି ହେଉଛି ।